27.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶତାତି ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ: ୯ ରାଜ୍ୟ ପାଇଁ ‘ଲୁ’ ଚେତାବନୀ

ତାତି ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ: ୯ ରାଜ୍ୟ ପାଇଁ ‘ଲୁ’ ଚେତାବନୀ

ନୂଆଦିଲ୍ଲୀ: ଏପ୍ରିଲ୍ ଆରମ୍ଭରୁ ଅସମ୍ଭାଳ ତାତି ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଚଳିତବର୍ଷ ମାର୍ଚ୍ଚମାସରେ ରେକର୍ଡ ତାତି ସହିବାକୁ ପଡ଼ିଛି ଭାରତୀୟଙ୍କୁ । ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡିର ଆକଳନ ଅନୁସାରେ ଦେଶରେ ୧୯୦୧ ମସିହା ପରଠାରୁ ସବୁଠାରୁ ଅଧିକ ଗରମ ମାସ ହେଉଛି ମାର୍ଚ୍ଚ । ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି ମାର୍ଚ୍ଚ ତାତି । ଚଳିତବର୍ଷ ମାର୍ଚ୍ଚମାସରେ ଦେଶର ଅନେକ ସହରର ତାପମାତ୍ରା ୪୦ଂ ଉପରେ ରେକର୍ଡ କରାଯାଇଛି । ରିପୋର୍ଟ ଅନୁସାରେ, ଦେଶରେ ମାର୍ଚ୍ଚ ମାସରେ ହାରାହାରି ତାପମାତ୍ରା ୩୩.୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଯାହା ସାମାନ୍ୟଠାରୁ ୧.୮୬ ଡିଗ୍ରୀ ସେଲସିୟସ୍ ଅଧିକ । ଏହି ସମୟରେ ହାରାହାରି ସର୍ବନିମ୍ନ ତାପମାତ୍ରା ୨୦.୨୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଉତ୍ତର ପଶ୍ଚିମ ଅଞ୍ଚଳରେ ସବୁଠାରୁ ଅଧିକ ତାପାମତ୍ରା ରେକର୍ଡ କରାଯାଇଛି । ଯାହା ସାମାନ୍ୟଠାରୁ ୩.୯୧ ଡିଗ୍ରୀ ସେଲ୍‌ସିୟସ ଅଧିକ । ଅନ୍ୟପଟେ କେନ୍ଦ୍ରୀୟ ଅଞ୍ଚଳରେ ମାର୍ଚ୍ଚ ମାସରେ ୧.୬୨ ଡିଗ୍ରୀ ସେଲସିୟସ୍ ଅଧିକ ତାତି ବଢ଼ିଛି । ମାର୍ଚ୍ଚରେ ହାରାହାରି ୮.୯ ମି.ମି ବର୍ଷା ହୋଇଛି । ଯାହା ଲଙ୍ଗ୍ ପିରିୟଡ୍ ଆଭରେଜର ୩୦.୪ ମି.ମିରୁ ୭୧ ପ୍ରତିଶତ କମ୍ । ମାର୍ଚ୍ଚରେ ୧୯୦୯ରେ ୭.୨ ସେଣ୍ଟିମିଟର ଏବଂ ୧୯୦୮ରେ ୮.୭ ମିମି ବର୍ଷା ହୋଇଥିଲା । ଏଭଳି ସ୍ଥିତିରେ ଚଳିତବର୍ଷ ମାର୍ଚ୍ଚରେ ୧୯୦୧ ମସିହା ପରେ ସବୁଠାରୁ କମ୍ ବୃଷ୍ଟିପାତ ରେକର୍ଡ କରାଯାଇଛି । ଚଳିତ ମାର୍ଚ୍ଚ ମାସରେ ଦୁଇଟି ପର୍ଯ୍ୟାୟରେ ଗ୍ରୀଷ୍ମପ୍ରବାହ ଆସିଥିଲା । ପ୍ରଥମ ପ୍ରବାହଟି ୧୧ରୁ ୨୧ ତାରିଖ ମଧ୍ୟରେ ରହିଥିଲା । ଦ୍ୱିତୀୟଟି ମାର୍ଚ୍ଚ ୨୬ରେ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଅବ୍ୟାହତ ରହିଥିବା ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗର ‘କ୍ଲାଇମେଟ୍ ମନିଟରିଙ୍ଗ୍ ଆଣ୍ଡ୍ ପ୍ରେଡିକ୍‌ସନ୍ ଗ୍ରୁପ୍‌’ର ମୁଖ୍ୟ ଓ.ପି. ଶ୍ରୀଜିତ୍ କହିଛନ୍ତି । ତାଙ୍କ ମତରେ, ବୃଷ୍ଟିପାତର ଅଭାବ ମଧ୍ୟ ଗ୍ରୀଷ୍ମ ପ୍ରବାହର ଅନ୍ୟତମ କାରଣ । ବିଶେଷଜ୍ଞମାନେ କହୁଛନ୍ତି ଯେ ଅନାବୃଷ୍ଟି, ଉତ୍ତରପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତକୁ ଲଗାଣ ଶୁଷ୍କ ଓ ଉତ୍ତପ୍ତ ପଶ୍ଚିମାବାୟୁ ପ୍ରବାହ ଗ୍ରୀଷ୍ମ ପ୍ରବାହ କରାଉଛି । ଆକାଶ ମେଘମୁକ୍ତ ରହୁଥିବାରୁ ପ୍ରଖର ସୂର୍ଯ୍ୟରଶ୍ମି ପଡ଼ିବା ହେତୁ ଉତ୍ତାପ ବୃଦ୍ଧିପାଇବାରେ ଲାଗିଛି । ଆସନ୍ତା ୧୦ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି । ବଦ୍ରିନାଥ ଓ କେଦାରନାଥ ଧାମରେ ଏହି ସମୟ ମଧ୍ୟରେ ବରଫର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ । ବିଗତବର୍ଷ ଏଠାରେ ୪ଫୁଟ୍‌ର ବରଫ ଜମି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking