ଭୁବନେଶ୍ୱର: ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଏନଏସିର ୧୨ ନଂ ୱାର୍ଡ ଅଚ୍ୟୁତପୁରସ୍ଥିତ ନିଜ ଶୋଇବା ଘରୁ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ ହେଲେ ଗାଁର ଭାଗବତ ପରିଡ଼ାଙ୍କ ପୁଅ ହେମନ୍ତ (୩୭) । ହେମନ୍ତଙ୍କ ଜଣେ ୯ ଓ ଅନ୍ୟ ଜଣେ ୪ ବର୍ଷର ଝିଅ ଅଛନ୍ତି । ପାରିବାରିକ କଳହରୁ ସ୍ତ୍ରୀ ପିଲାମାନଙ୍କୁ ନେଇ ବାପଘରେ ରହୁଛନ୍ତି । ଆଜି ଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ହେମନ୍ତ କବାଟ ନ ଫିଟାଇବାରୁ ଝରକା ପଟ ଦେଇ ତାଙ୍କ ଝୁଲନ୍ତା ମୃତଦେହ ଦେଖା ଯାଇଥିଲା । ନିଜ ଶୋଇବା ରୁମର ଫ୍ୟାନରେ ସେ ଏକ ଗାମୁଛାରେ ଝୁଲି ପଡ଼ିଥିଲେ । ଖବର ପାଇ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ହେମନ୍ତଙ୍କ ମୃତ୍ୟୁ ଗାଁରେ ଶୋକର ଛାୟା ଖେଳାଇ ଦେଇଛି ।










