ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ସଂକ୍ରମଣରେ ଲଗାତର ଭାବରେ ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି । ଦେଶରେ ଏବେ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଭାରତର ସବୁଠୁ ପୁରାତନ ସରକାରୀ ଲ୍ୟାବମାନଙ୍କ ମଧ୍ୟରୁ ହାଫକିନ ଇନଷ୍ଟିଚ୍ୟୁଟକୁ କେନ୍ଦ୍ର ସରକାର ଟିକା ପ୍ରସ୍ତୁତ କରିବା ପାଇଁ ସବୁଜ ସଂକେତ ଦେଇଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପିଏମ ନରେନ୍ଦ୍ର ମୋଦିଙ୍କ ଠାରୁ ଅନୁମତି ପ୍ରାର୍ଥନା କରିଥିଲେ । ହାଫକିନ ଇନଷ୍ଟିଚ୍ୟୁଟ ଏହା ପୂର୍ବରୁ ପ୍ଲେଗ, ପୋଲିଓ ଭଳି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ମେଡିସିନ ପ୍ରସ୍ତୁତ କରିସାରିଛି । ହାଫକିନ ଇନଷ୍ଟିଚ୍ୟୁଟ ଏବେ କରୋନା ବିରୋଧରେ ଲଢେଇରେ ବଡ ଯୋଗଦାନ ଦେବାକୁ ଯାଉଛି । କେନ୍ଦ୍ର ସରକାର ହାଫକିନ ଇନଷ୍ଟିଚ୍ୟୁଟକୁ କୋଭାକ୍ସିନ ପ୍ରସ୍ତୁତ କରିବା ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି ।
ହାଇଦ୍ରାବାଦର ଭାରତ ବାୟୋଟେକର କୋଭାକ୍ସିନର ଟେକ୍ନୋଲୋଜୀ ଟ୍ରାନ୍ସଫର କରି ହାଫକିନ ଇନଷ୍ଟିଚ୍ୟୁଟ ଭ୍ୟାକ୍ସିନ ପ୍ରସ୍ତୁତ କରିବ । ମୁମ୍ବାଇର ପରେଲସ୍ଥିତ ହାଫକିନ ଇନଷ୍ଟିଚ୍ୟୁଟରେ ୧୫୪ କୋଟି ବ୍ୟୟରେ ଭ୍ୟାକ୍ସିନ ଉତ୍ପାଦନ ପାଇଁ ନୂଆ ପ୍ଲାଣ୍ଟ ପ୍ରସ୍ତୁତ କରାଯିବ । ସୂଚନା ଅନୁସାରେ, ବର୍ଷକରେ ୧୩୦ କୋଟି ଭ୍ୟାକ୍ସିନ ଡୋଜ୍ ପ୍ରସ୍ତୁତ କରିବାର କ୍ଷମତା ଏହି ଇନଷ୍ଟିଚ୍ୟୁଟ ରଖିବ ।