33.1 C
Bhubaneswar
Friday, April 26, 2024
Homeଖେଳଆଇପିଏଲ: ମୁମ୍ବାଇକୁ ୬୨ ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଗୁଜରାଟ

ଆଇପିଏଲ: ମୁମ୍ବାଇକୁ ୬୨ ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ । କ୍ୱାଲିଫାୟର୍‌-୧ରେ ବିଜୟ ସହ ଚେନ୍ନାଇ ସିଧାସଳଖ ଫାଇନାଲ୍ ପାଇଁ ଯୋଗ୍ୟତା ପାଇଥିବା ବେଳେ ଶୁକ୍ରବାର କ୍ୱାଲିଫାୟର୍‌-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନ୍‌ରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ରେ ପହଞ୍ଚିଛି । ଶୁକ୍ରବାର ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥବା କ୍ୱାଲିଫାୟର୍‌-୨ରେ ପ୍ରଥମେ ବ୍ୟାଟିଂ ପାଇ ଗୁଜରାଟ ଓପନର ଶୁବମାନ ଗିଲ୍‌ଙ୍କ ୧୨୯ ରନ୍‌ର ଆକର୍ଷଣୀୟ ଇନିଂସ ବଳରେ ମାତ୍ର ୩ ୱିକେଟ୍‌ରେ ରେକର୍ଡ ୨୩୩ ରନ୍ କରିଥିଲା । ଏହାର ଜବାବରେ ମୁମ୍ବାଇ ୧୮.୨ ଓଭର୍‌ରେ ମାତ୍ର ୧୭୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯିବା ଫଳରେ ଗୁଜରାଟ ସହଜ ବିଜୟ ହାସଲ କରିଛି ।

ଗିଲ୍ ମାତ୍ର ୬୦ଟି ବଲ୍‌ର ସମ୍ମୁଖୀନ ହୋଇ ୭ଟି ଚୌକା ଓ ୧୦ଟି ଛକା ସହାୟତାରେ ୧୨୯ ରନ୍ କରିବା ସହ ମୋଟ ୮୫୧ ରନ୍ କରି ଅରେଞ୍ଜ୍ କ୍ୟାପ୍ ଦୌଡ଼ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍‌ଙ୍କୁ ଟପିଯାଇଥିଲେ । ସେ ଓପନର ଋଦ୍ଧିମାନ୍ ସାହାଙ୍କ ସହ ପ୍ରଥମ ୱିକେଟ୍‌ରେ ୫୪ ରନ୍ ଯୋଡ଼ିବା ପରେ ଦ୍ୱିତୀୟ ୱିକେଟ୍‌ରେ ସାଇ ସୁଦର୍ଶନଙ୍କ ସାଥୀରେ ୧୩୮ ରନ୍‌ର ବଡ଼ ଭାଗୀଦାରୀ କରିଥିଲେ, ଯାହାକି ଆଇପିଏଲ୍‌ର ପ୍ଲେଅଫ୍ ଇତିହାସରେ ତୃତୀୟ ସର୍ବାଧିକ । ସାହା ୩ଟି ଚୌକା ସହ ୧୮ ରନ୍ କରିଥିବା ବେଳେ ସୁଦର୍ଶନ ମାତ୍ର ୩୧ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୪୩ ରନ୍‌ର ଯୋଗଦାନ ଦେଇଥିଲେ । ଏହାଛଡ଼ା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୨୮ ରନ୍ କରିଛନ୍ତି । ଚଳିତ ସଂସ୍କରଣରେ ଶୁବମାନ ତାଙ୍କର ତୃତୀୟ ତଥା ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ କରିଥିଲେ । ସେହିପରି ଆଇପିଏଲ୍ ପ୍ଲେଅଫ୍‌ରେ ଗୁଜରାଟ ନାମରେ ସର୍ବାଧିକ ସ୍କୋର୍‌ର ରେକର୍ଡ ଦରଜ ହୋଇଛି । ଏହା ପୂର୍ବରୁ ୨୦୧୪ ସଂସ୍କରଣରେ ପଞ୍ଜାବ କିଙ୍ଗ୍‌ସ ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷରେ ୬ ୱିକେଟ୍‌ରେ ୨୨୬ ରନ୍ କରିଥିଲା । ସେହିପରି ଶତକୀୟ ଇନିଂସ ଅବସରରେ ଗିଲ୍ ୧୦ଟି ଛକା ଲଗାଇଥିବା ବେଳେ ଏହା କୌଣସି ଆଇପିଏଲ୍ ପ୍ଲେଅଫ୍ ମ୍ୟାଚ୍‌ରେ ସର୍ବାଧିକ । ଆହୁରି ଗିଲ୍ ଆଇପିଏଲ୍ ପ୍ଲେଅଫ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ମଧ୍ୟ କରିଛନ୍ତି । ମୁମ୍ବାଇ ପକ୍ଷରୁ ଆକାଶ ମାଢୱାଲ୍ ଓ ପୀୟୂଷ ଚାୱଲାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।

ବ୍ୟାଟିଂରେ ଦଳ ପକ୍ଷରୁ ଆହତ ଈଶାନ୍ କିଶନ୍‌ଙ୍କ ସ୍ଥାନରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ନେହଲ୍ ୱାଧେରା ଇନିଂସ ଆରମ୍ଭ କରିଥିଲେ । ତେବେ ୱାଧେରା ୪ ଓ ରୋହିତ ୮ ରନ୍‌ରେ ଆଉଟ୍ ହେବା ଫଳରେ ମୁମ୍ବାଇକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା । ଅବଶ୍ୟ ତିଲକ ବର୍ମା ମାତ୍ର ୧୪ଟି ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ବଳରେ ଦ୍ରୁତ ୪୩ ରନ୍ କରିବା ସହ ସୂର୍ଯ୍ୟକୁମାର ଯାଦବଙ୍କ ସାଥୀରେ ୫୧ ରନ୍‌ର ଭାଗୀଦାରୀ କରିଥିଲେ । ଆହତ ହୋଇ ପ୍ୟାଭିଲିଅନ୍ ଫେରିଥିବା କ୍ୟାମେରନ୍ ଗ୍ରୀନ୍ ପରେ ବ୍ୟାଟିଂ କରିବାକୁ ଆସି ୨ଟି ଲେଖାଏଁ ଚୌକା ଓ ଛକା ସହ ୩୦ ରନ୍ କରିଥିଲେ । ତେବେ ସୂର୍ଯ୍ୟକୁମାର ୭ଟି ଚୌକା ଓ ୨ଟି ଛକା ସହ ୬୧ ରନ୍‌ରେ ଆଉଟ୍ ହେବା ପରେ ଦଳର ପ୍ରଶଂସକମାନେ ବାନ୍ଧିଥିବା ସାମାନ୍ୟତମ ବିଜୟ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଏହାପରେ ଗୁଜରାଟ ବୋଲର୍‌ମାନେ ମୁମ୍ବାଇର ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କୁ ଶସ୍ତାରେ ଆଉଟ୍ କରି କେବଳ ଔପଚାରିକତା ପୂରଣ କରିଥିଲେ । ଦଳର ଅନ୍ତିମ ୬ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ବି ପହଞ୍ଚିପାରି ନ ଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମାଙ୍କୁ ୫ ୱିକେଟ୍‌ର ସଫଳତା ମିଳିଥିବା ବେଳେ ମହମ୍ମଦ ଶମି ଓ ରଶିଦ୍ ଖାନ୍‌ଙ୍କୁ ୨ଟି ଲେଖାଏଁ ଏବଂ ଜୋଶୁଆ ଲିଟଲ୍‌ଙ୍କୁ ଗୋଟିଏ ୱିକେଟ୍ ମିଳିଛି । ପରାଜୟ ସହ ୫ ଥରର ଚାମ୍ପିଅନ୍ ମୁମ୍ବାଇକୁ ପ୍ରତିଯୋଗିତାରୁ ବିଦାୟ ନେବାକୁ ପଡ଼ିଛି । ଆସନ୍ତା ୨୮ ତାରିଖରେ ଏଠାରେ ଫାଇନାଲ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking