29.1 C
Bhubaneswar
Friday, May 23, 2025
Homeଓଡିଶାସାତକୋଶିଆକୁ ମହାବଳ ଫେରିବ

ସାତକୋଶିଆକୁ ମହାବଳ ଫେରିବ

ବନ୍ତଳା: ପଶୁପ୍ରେମୀ ଓ ସାତକୋଶିଆ ପାଇଁ ଶୁଭଙ୍କର ହେବାକୁ ଯାଉଛି ନୂଆବର୍ଷ। ୨୦୨୪ରେ ସାତକୋଶିଆରେ ଶୁଭିବ ମହାବଳର ଗର୍ଜନ। ଗୋଟିଏ ମହାବଳ ବାଘ ଓ ଗୋଟିଏ ବାଘୁଣୀ ସାତକୋଶିଆ ଆସିବା ନେଇ ଏନ୍‌ଟିସିଏ ରାଜି ହୋଇଥିବା ଜଣାପଡ଼ିଛି। ଏଥିପାଇଁ ଆନୁଷଙ୍ଗିକ କାମ ପ୍ରାୟତଃ ଶେଷ ହୋଇଥିବା ଡିଏଫ୍ଓ ସରୋଜ ପଣ୍ଡା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ଅନୁଗୁଳ ଜିଲ୍ଲାର ଗର୍ବଗୌରବ ହେଉଛି ସାତକୋଶିଆ ଅଭୟାରଣ୍ୟ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଓ ଶିକାରୀଙ୍କ ଉପଦ୍ରବରେ ମହାବଳଶୂନ୍ୟ ହୋଇଯାଇଥିଲା ସାତକୋଶିଆ। ଏହାସତ୍ତ୍ବେ ୨୦୧୮ରେ ମଧ୍ୟପ୍ରଦେଶର ‘କାହ୍ନା’ ଓ ବାନ୍ଧବଗଡ଼ରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା। ହେଲେ ଜଙ୍ଗଲ ଭିତରେ ଥିବା ଗାଁରେ ପଶି ‘ସୁନ୍ଦରୀ’ ମଣିଷ ମାରିଥିବା ବେଳେ ଶିକାରୀ ହାତରେ ‘ମହାବୀର’ର ପ୍ରାଣ ଯାଇଥିଲା। ଫଳରେ ଯେଉଁ ଆଶା ନେଇ ସାତକୋଶିଆ କର୍ତ୍ତୃପକ୍ଷ ମହାବଳ ଆଣିଥିଲେ, ତାହା ଫେଲ୍‌ ମାରିଥିଲା। ଏହା ସେତେବେଳେ ପଶୁପ୍ରେମୀ ଓ ପରିବେଶବିତ୍‌ଙ୍କୁ ଗଭୀର ଆଘାତ ଦେଇଥିଲା। ଅଭୟାରଣ୍ୟ ଭିତରେ ଜନବସତି ପାଇଁ ‘ପ୍ରୋଜେକ୍ଟ୍‌-ଟାଇଗର୍‌’ ବିଫଳ ହୋଇଥିବାରୁ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ସେଠାରୁ ବିସ୍ଥାପନ କରିବା ସହିତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଏନ୍‌ଟିସିଏ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସାତକୋଶିଆରେ ଆରମ୍ଭ ହୋଇଥିଲା ରୂପାନ୍ତରୀକରଣ। ମହାବଳ ଉପଯୋଗୀ ପରିବେଶ ସୃଷ୍ଟିରେ ଅଭୟାରଣ୍ୟ କର୍ତ୍ତୃପକ୍ଷ ଲାଗିପଡ଼ିଥିଲେ। ଜଙ୍ଗଲ ଭିତରେ ଥିବା ରାଇଗୁଡ଼ା, କଟରଙ୍ଗ, ଅସନବାହାଳ ଓ ଟୁଲୁକା ଗାଁକୁ ଇତିମଧ୍ୟରେ ସ୍ଥାନାନ୍ତର କରାଯାଇଛି। ସେହି ଗାଁଗୁଡ଼ିକ ଥିବା ସ୍ଥାନରେ ଏବେ ତୃଣଜୀବୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଚାରଣଭୂଇଁ ପ୍ରସ୍ତୁତ ହୋଇ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ଅଭୟାରଣ୍ୟ ଭିତରେ ବ୍ୟବସ୍ଥା କରାଯାଇଛି। ସାତକୋଶିଆ ମଧ୍ୟରେ ଥିବା ଲୋକଙ୍କୁ ପ୍ରାଥମିକତା ଦେଇ ସେମାନଙ୍କ ଜୀବନଜୀବିକା ଓ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ଲୋକଙ୍କ ସହ ସମନ୍ବୟ ରକ୍ଷା କରି ୨୦୨୪ ମସିହା ଶେଷ ସୁଦ୍ଧା ସାତକୋଶିଆକୁ ଦୁଇଟି ମହାବଳ ଅଣାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ଡିଏଫ୍ଓ କହିଛନ୍ତି। ନୂଆ ପିସିସିଏଫ୍‌ ସୁଶାନ୍ତ ନନ୍ଦ ସାତକୋଶିଆର ପୂର୍ବତନ ଅଧିକାରୀ ହୋଇଥିବା କାରଣରୁ ସେ ମଧ୍ୟ ଏଥିପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି। ତେବେ ସାତକୋଶିଆକୁ କେବେ ବାଘ ଆସିବ ନୂଆବର୍ଷରେ ତାହାର ସୂଚନା ମିଳିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଅନ୍ୟପଟେ ଏବେସୁଦ୍ଧା କୋର୍ ଏରିଆରେ ଲାଗିଥିବା କ୍ୟାମେରାରେ ୪୨ଟି କଲରାପତରିଆ ବାଘ ଦେଖାଦେଇଥିବା ଜଣାପଡ଼ିଛି। ବ୍ୟାଘ୍ର ଗଣନା ପାଇଁ ୪ଶହରୁ ଅଧିକ କ୍ୟାମେରା ଲଗାଯାଇଥିବା ବେଳେ ମହାବଳ ଏଯାଏ ଦିଶିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking