ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ଏକ ସରକାରୀ କମ୍ପାନୀ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛି। ଦୀପାବଳିରେ ପବ୍ଲିକ୍ ସେକ୍ଟର କମ୍ପାନୀ ମାଙ୍ଗାନିଜ୍ ଓର ଇଣ୍ଡିଆ ଲିମିଟେଡ୍ (ଏମଓଆଇଏଲ) ଏହାର ପ୍ରତ୍ୟେକ କର୍ମଚାରୀଙ୍କୁ ୨୮୦୦୦ ଟଙ୍କା ବୋନସ୍ ଘୋଷଣା କରିଛି। ଏହା ସହିତ କମ୍ପାନୀ ମଧ୍ୟ ଦରମା ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏହି ସୂଚନା ଦେଇଛନ୍ତି।
ମହାରାଷ୍ଟ୍ରର ନାଗପୁରରେ ଅବସ୍ଥିତ କମ୍ପାନୀର ଦ୍ୱିତୀୟ ଭର୍ଟିକାଲ୍ ଶାଫ୍ଟ, ଚିକାଲା ମାଇନ୍ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର ଉଦଘାଟନୀ ଉତ୍ସବରେ ଏହି ଘୋଷଣା କରାଯାଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ କମ୍ପାନୀର ସମସ୍ତ କର୍ମଚାରୀଙ୍କ ପାଇଁ ୨୮୦୦୦ ଟଙ୍କା ବୋନସ୍ ଘୋଷଣା କରିଛନ୍ତି, ଯାହା ଦୀପାବଳି ପୂର୍ବରୁ ପ୍ରଦାନ କରାଯିବ। ଏଥିପାଇଁ କମ୍ପାନୀ ଦ୍ୱାରା ଏକ ପ୍ରେସ ନୋଟ୍ ମଧ୍ୟ ଜାରି କରାଯାଇଛି। ପ୍ରକାଶିତ ପ୍ରେସ ନୋଟରେ କୁହାଯାଇଛି ଯେ ୧୦ ବର୍ଷ ଧରି ଦରମା ସଂଶୋଧନ କରାଯାଇଛି। ଏହା ଅଗଷ୍ଟ ୧, ୨୦୧୮ ରୁ ଜୁଲାଇ ୩୧, ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ କମ୍ପାନୀର ପ୍ରାୟ ୫୮୦୦ କର୍ମଚାରୀ ଉପକୃତ ହେବେ। ସୂଚନା ଯେ, ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ, ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୨୮ ପରିବର୍ତ୍ତେ ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଜୁଲାଇ ପହିଲାରୁ ନୂତନ ମହଙ୍ଗା ଭତ୍ତା ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରାୟ ୪୭.୧୪ ଲକ୍ଷ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ।