କଟକ: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରୁ ୧୪ ଜଣ ଗୋତି ଶ୍ରମିକଙ୍କ ମୁକ୍ତି ସଂକ୍ରାନ୍ତ ମାମଲାରେ ମାନ୍ୟବର ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲାର କେଉଁ ସ୍ଥାନରେ କେତେ ଗୋତି ଶ୍ରମିକ ରହିଛନ୍ତି ସେ ବାବଦରେ ୧୫ଦିନ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ରେପୋର୍ଟ ଦାଖଲ କରିବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଓ ଜଷ୍ଟିସ୍ ଆର.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥି ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁନ୍୨୨ତାରିଖକୁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଢ଼େଙ୍କାନାଳ କାମାକ୍ଷାନଗର ଅଞ୍ଚଳରୁ ୧୪ ଜଣ ଗୋତି ଶ୍ରମିକଙ୍କ ମୁକ୍ତି ରାଜ୍ୟ ମାନବାଧିକାର କମିଶନ ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ନଥିଲା ।ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ପରେ ମଧ୍ୟ କାମାକ୍ଷାନଗର କେତେକ ବ୍ୟକ୍ତି ଏପରି ପ୍ରଥାର ପୀଡ଼ିତ ହୋଇରହିଛନ୍ତି । ସେମାନଙ୍କ ମୌଳିକ ତଥା ମାନବିକ ଅଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।