ଗଞ୍ଜାମ : ବଡ଼ଗଡ଼ ଥାନା ଅନ୍ତର୍ଗତ ଖାରିଗୁମା ଗ୍ରାମ ନିକଟ ବିଲମାଳରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବତୀଙ୍କ ଗଳିତ ଶବ ପୁଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ଖାରିଗୁମା ଗ୍ରାମର ରଙ୍କନିଧି ଗୌଡଙ୍କ ସାନ ଝିଅ ଅଭାବିନି ଗୌଡ (୨୦) । ବଡ଼ଗଡ଼ ଥାନାଧିକାରୀ ସୁରଜ ଝାଙ୍କରଙ୍କ ସୂଚନା ପ୍ରକାରେ ଗତ ସୋମବାର ରାତ୍ରରେ ପରିବାର ଲୋକଙ୍କ ସହିତ ଖିଆପିଆ ସାରି ଅଭାବିନି ଘରେ ଶୋଇଥିଲେ । ପରିବାର ଲୋକ ବିଳମ୍ବିତ ରାତିରେ ଉଠି ଦେଖିଲା ବେଳକୁ ଝିଅ ଘରେନାହିଁ । ଏନେଇ ମଙ୍ଗଳବାର ଦିନ ସକାଳେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମାତ୍ର ଅଭାବିନିଙ୍କ କୌଣସି ଖୋଜଖବର ପାଇନଥିଲେ । ଶେଷରେ ବାପା ରଙ୍କନିଧି ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ଦିନ ସକାଳେ ଖାରିଗୁମା ଗ୍ରାମ ନିକଟ ବିଲମାଳରେ ଥିବା ପରିତ୍ୟକ୍ତ କୁଅରେ ଅଭାବିନିଙ୍କ ଶବ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଥାନାକୁ ଜଣାଇବା ପରେ ଧରାକୋଟ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ôଚ ଶବ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଆସିକା ଏସ୍ଡିପିଓ, ଧରାକୋଟ, ପାଟପୁର, ସୋରଡ଼ା ଏବଂ ବଡଗଡ ଥାନା ଅଧିକାରୀ ଉପସ୍ଥିତ ଥିଲେ । ଏହା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତକୁ ବ୍ୟାପକ କରିଛି । ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଯାଇଛି । ମୃତକଙ୍କ ପିତା ରଙ୍କନିଧି ଗୌଡଙ୍କ ଅଭିଯୋଗ ପ୍ରକାରେ ଧରାକୋଟ ଥାନା ଅନ୍ତର୍ଗତ ବରଡାବାଲି ଗ୍ରାମର ପାଣ ଗୌଡଙ୍କ ପୁଅ ସହିଦ୍ ଗୌଡଙ୍କ ସହ ମୃତ ଅଭାବିନିଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମନାନ୍ତର ଯୋଗୁଁ ଅଭାବିନିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଲିସ ସହିଦ ଗୌଡକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରହିଥିବା ନେଇ ବଡଗଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।