କଟକ: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ପ୍ରାକୃତିକ ଗ୍ୟାସର ଅଭାବ । କେନ୍ଦ୍ର ଓ ରାଜ୍ୟ ସରକାର ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଥିବା ନେଇ ବାରମ୍ବାର ଆଶ୍ୱାସନା ଦେଉଥିଲେ ମଧ୍ୟ, ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା । କଟକ ସାଲେପୁର ଗୋପୀନାଥପୁରରେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ । କେତେକ ଅସାଧୁ ଏଜେନ୍ସି ମାଲିକ ଓ ବେପାରୀ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ଗ୍ୟାସକୁ କଳାବଜାରରେ ବିକ୍ରି କରୁଛନ୍ତି ।ସାଧାରଣ ଗ୍ରାହକଙ୍କୁ ଗ୍ୟାସ ନାହିଁ କହି ଫେରାଇ ଦିଆଯାଉଥିବା ବେଳେ, ହୋଟେଲ ଓ ବଡ଼ ବଡ଼ ଦୋକାନୀଙ୍କୁ ଚଢ଼ା ଦରରେ ସିଲିଣ୍ଡର ଯୋଗାଇ ଦିଆଯାଉଥିବା ଚର୍ଚ୍ଚା ହେଉଛି । ସିଲିଣ୍ଡରଟିଏ ପାଇବା ଆଶାରେ ଉପଭୋକ୍ତାମାନେ ରାତି ଅଧରୁ ଏଜେନ୍ସି ସମ୍ମୁଖରେ ଲମ୍ବା ଲାଇନ ଲଗାଉଛନ୍ତି । ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଅନେକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି । ବେଆଇନ ଭାବେ ଗ୍ୟାସ ମହଜୁଦ ରଖିଥିବା ଏଜେନ୍ସି ଉପରେ ତୁରନ୍ତ ପ୍ରଶାସନିକ ଚଢ଼ାଉ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି ।










