ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବେଶ୍ ସଫଳତାର ସହ ଆଗେଇ ଚାଲିଛି। ଏହି କ୍ରମରେ ସଂଶୋଧନ ଅଭିଯାନର ୧୧ତମ ଦିନ ସୁଦ୍ଧା ରାଜ୍ୟରେ ମୋଟ ୮୭.୬୬ ପ୍ରତିଶତ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପନ୍ନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ସର୍ବମୋଟ ୨ କୋଟି ୯୨ ଲକ୍ଷ ୭୮ ହଜାର ୩୦୮ ଜଣ ଭୋଟରଙ୍କୁ ସଫଳତାର ସହ ଫର୍ମ ବଣ୍ଟନ କରାଯାଇଛି। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ସତେଜ ଓ ତ୍ରୁଟିଶୂନ୍ୟ କରିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କ୍ଷେତ୍ରସ୍ତରରେ ବିଏଲ୍ଓ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ଏହି ଫର୍ମ ବଣ୍ଟନ କରାଯାଉଥିବା ବେଳେ, ସ୍ୱଳ୍ପ ଦିନ ମଧ୍ୟରେ ୮୭.୬୬ ପ୍ରତିଶତ ଲକ୍ଷ୍ୟ ହାସଲ ହେବା ପ୍ରଶାସନିକ ସୂଚାରୁ ପରିଚାଳନା ଓ ଭୋଟରମାନଙ୍କ ବ୍ୟାପକ ସଚେତନତାକୁ ଦର୍ଶାଉଛି। ବାକି ରହିଯାଇଥିବା ଭୋଟରମାନଙ୍କ ପାଖରେ ମଧ୍ୟ ଖୁବ୍ ଶୀଘ୍ର ଫର୍ମ ପହଞ୍ଚାଇବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ କରାଯାଉଥିବା କୌଣସି ବିଭ୍ରାନ୍ତିକର ଧାରଣା, ଗୁଜବ କିମ୍ବା ମିଥ୍ୟା ପ୍ରଚାରରେ ବିଶ୍ୱାସ ନକରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ସର୍ବସାଧାରଣଙ୍କୁ ସ୍ପଷ୍ଟ ଭାବେ ଅନୁରୋଧ କରାଯାଇଛି। ସମଗ୍ର ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଚାଲୁଥିବାରୁ କେବଳ ସରକାରୀ ସୂଚନା ଉପରେ ହିଁ ଆସ୍ଥା ପ୍ରକଟ କରିବାକୁ କୁହାଯାଇଛି।ସମସ୍ତ ଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରୁ ବାଦ୍ ନପଡନ୍ତି ସେଥିପାଇଁ ରାଜ୍ୟର ସମସ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଓ ବିଏଲଓ ମାନଙ୍କୁ ନିର୍ଦେଶ ଦିଆଯାଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଭୋଟରଙ୍କୁ ସତର୍କ କରାଇ ଦିଆଯାଇଛି ଯେ, ମିଳିଥିବା ଫର୍ମକୁ ସମ୍ପୂର୍ଣ୍ଣ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସ୍ଥାନୀୟ ବିଏଲ୍ଓ ଙ୍କ ପାଖରେ ଦାଖଲ କରିବା ଅନିବାର୍ଯ୍ୟ। ଏହାବ୍ୟତୀତ ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରି, ତଥ୍ୟ ପୂରଣ କରି ନିଜେ ମଧ୍ୟ ଅପଲୋଡ୍ କରିପାରିବେ। ଯଦି କୌଣସି ଭୋଟର ସମୟ ସୀମା ଭିତରେ ଫର୍ମ ଦାଖଲ ନକରନ୍ତି, ତେବେ ସଂଶୋଧିତ ଭୋଟର ତାଲିକାରୁ ତାଙ୍କ ନାମ ବାଦ୍ ପଡ଼ିବାର ଆଶଙ୍କା ରହିଛି। ଏହି ପ୍ରକ୍ରିୟା ସମ୍ପର୍କିତ କୌଣସି ବି ଦ୍ୱନ୍ଦ୍ୱ, ଅଭିଯୋଗ କିମ୍ବା ଅଧିକ ସୂଚନା ପାଇଁ ଭୋଟରମାନେ ମାଗଣା ହେଲ୍ପଲାଇନ ନମ୍ବର ୧୯୫୦ କୁ କଲ୍ କରି ସିଧାସଳଖ ଯୋଗାଯୋଗ କରିପାରିବେ। ବାକି ରହିଯାଇଥିବା ଭୋଟରମାନଙ୍କ ପାଖରେ ମଧ୍ୟ ଖୁବ୍ ଶୀଘ୍ର ଫର୍ମ ପହଞ୍ଚାଇବାକୁ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି।










