ଫୁଲବାଣୀ : ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଫୁଲାବଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଭିଜିଲାନ୍ସ ବିଚାରପତି ସତ୍ୟପୀର ମିଶ୍ର ୨ ମାମଲାର ବିଚାର କରି ଦଣ୍ଡ ଶୁଣାଣି କରିଛନ୍ତି । ଏଥିସହ ଉଭୟଙ୍କୁ ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ ରହିଛି ।
ସୂଚନା ଅନୁଯାୟୀ, ୨୦୧୪ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ର ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସୀମାଞ୍ଚଳ ନାୟକଙ୍କ ବିରୋଧରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାର ସରାକାରୀ ଅନୁଦାନ ଖର୍ଚ୍ଚ ନକରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ତଦନ୍ତରେ ସୀମାଞ୍ଚଳ ଅର୍ଥ ହଡ଼ପ କରିଥିବା ସ୍ପଷ୍ଟ ହେବାରେ ତାଙ୍କ ବିରୋଧରେ ଫୁଲବାଣୀ ଭିଜିଲାନ୍ସ ଅଦାଲତରେ ମାମଲା ଚାଲିଥିଲା । ଭିଜିଲାନ୍ସ ବିଚାରପତି ସତ୍ୟପୀର ମିଶ୍ର ମାମଲାର ବିଚାର କରି ୪ବର୍ଷ ଦଣ୍ଡ ଶୁଣାଣି କରିଛନ୍ତି । ଏଥିସହ ତାଙ୍କୁ ୬ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ ରହିଛି ।
ସେହିଭଳି ଅନ୍ୟ ଏକ ମାମଲାରେ ଆଉ ଜଣେ ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅଦାଲତ ୪ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ଶ୍ରୀ ପ୍ରଧାନ ଜି ଉଦୟଗିରି ବ୍ଲକ୍ ଦଡ଼ପଡ଼ା ସେବାଶ୍ରମରେ ଶିକ୍ଷକ ଥିବା ବେଲେ ସ୍କୁଲ୍ ଗୃହ ନିର୍ମାଣ ପାଇଁ ଆସିଥିବା ଏକ ଲକ୍ଷ ୫୫ ହଜାର ଟଙ୍କାର ସରକାରୀ ଅର୍ଥକୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଅଭିଯୋଗର ଶୁଣାଣି କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଉମେଶଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏଥିସହ ତାଙ୍କୁ ଏକ ଲକ୍ଷ ୫୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ହେଲେ ତାଙ୍କୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡ଼ିିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଉଭୟ ମାମଲାକୁ ସରକାରୀ ଅଧିବକ୍ତା ପ୍ରଦୀପ ଦୋରା ପରିଚାଳନା କରୁଥିଲେ ।