33.1 C
Bhubaneswar
Friday, May 17, 2024
Homeଓଡିଶାଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି: ଆଜିଠୁ ମିଳିବ ଅବଢ଼ା

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି: ଆଜିଠୁ ମିଳିବ ଅବଢ଼ା

ପୁରୀ : ମିଥୁନ ୨୯ଦିନ ଆଷାଢ଼ ଶୁକ୍ଳ ତୃତୀୟାରେ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମଙ୍ଗଳବାର ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଘଣ୍ଟ ଘଣ୍ଟା ଧ୍ୱନି ମଧ୍ୟରେ ଦାରୁବିଗ୍ରହମାନଙ୍କୁ ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା । ବିନା ଭକ୍ତରେ ସମ୍ପନ୍ନ ହୋଇଥିଲା ଏହି ପହଣ୍ଡି ବିଜେ ନୀତି । ଆଜି ଠାରୁ ଗୁଣ୍ଡିଚା ମନ୍ଦିରରେ ଅନ୍ନ ମହାପ୍ରସାଦ ଭୋଗ ବା ଆଡ଼ପ ଅବଢ଼ା ଭୋଗ ଆରମ୍ଭ ହେବ ।
ସୋମାବାର ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଲାଗିବା ପରେ ରାତି ତମାମ ରଥ ଉପରେ ଶ୍ରୀଜିଉମାନେ ବିରାଜମାନ କରିଥିଲେ । ମଙ୍ଗଳବାର ସକାଳେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ପ୍ରାତଃ ନୀତି ରଥ ଉପରେ ସମ୍ପନ୍ନ ହେବା ପରେ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ଠାକୁରମାନଙ୍କର ପହଣ୍ଡି ବିଜେ ହୋଇଥିଲା । ମଙ୍ଗଳାର୍ପଣ ପରେ ପ୍ରଥମେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ୫ଟା ୪୦ରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ସନ୍ଧ୍ୟା ୬ଟା ୫ରେ ଆରମ୍ଭ ହୋଇଥିଲା ଶ୍ରୀସୁଦର୍ଶନଙ୍କ ପହଣ୍ଡି । ସେବାୟତମାନେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ଘଣ୍ଟଘଣ୍ଟା ଧ୍ୱନି ମଧ୍ୟରେ ସୁଦର୍ଶନଙ୍କୁ ଆଡ଼ପ ମଣ୍ଡପକୁ ନେଇଥିଲେ । ମଙ୍ଗଳାର୍ପଣ ପରେ ସନ୍ଧ୍ୟା ୬ଟା ୨୨ରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ଚାରମାଳ ଉପରେ ଟାହିଆ ଲାଗି ପରେ ସେବାୟତମାନେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି କରିଥିଲେ । ଘଣ୍ଟଘଣ୍ଟା ଧ୍ୱନିର ନିର୍ଘୋଷ ମଧ୍ୟରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ପ୍ରଭୁ ବଳଭଦ୍ର । ୭ଟା ୨୫ରେ ଦେବୀ ସୁଭଦ୍ରାଙ୍କର ଓ ୭ଟା ୫୭ରେ ଆରମ୍ଭ ହୋଇଥିଲା ବ୍ରହ୍ମାଣ୍ଡ ନାୟକ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ । ଟାହିଆ ପରିହିତ ହୋଇ ହଲି ହଲି ଝୁଲି ଝୁଲି ଶ୍ରୀଜଗନ୍ନାଥ ଚାରମାଳ ଦେଇ ରଥରୁ ଅବତରଣ କରିଥିଲେ । ବିଜେ କାହାଳୀ ଓ ଘଣ୍ଟଘଣ୍ଟାର ଧ୍ୱନି ମଧ୍ୟରେ ମୁଖରିତ ହୋଇଉଠିଥିଲା ଗୁଣ୍ଡିଚା ମନ୍ଦିର ସମ୍ମୁଖ ଅଞ୍ଚଳ । ଦଇତାପତି ଓ ଅନ୍ୟ ସେବକମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ନେଇ ଆଡ଼ପ ମଣ୍ଡପକୁ ବିଜେ କରାଇଥିଲେ । ଭକ୍ତ ନଥିଲେ ମଧ୍ୟ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସୃଷ୍ଟି ହୋଇଥିଲା ଭକ୍ତିପୂତ ଓ ଭାବମୟ ପରିବେଶ । କୌଣସି ଭକ୍ତଙ୍କୁ ପହଣ୍ଡି ଦର୍ଶନ ପାଇଁ ଅନୁମତି ଦିଆଯାଇନଥିଲା । କଡ଼ା କର୍ଫ୍ୟୁ କଟକଣା  ଓ ପୁଲିସ ଜଗୁଆଳି ମଧ୍ୟରେ ସମ୍ପନ୍ନ ହୋଇଥିଲା ପହଣ୍ଡି ବିଜେ ନୀତି । ପୂର୍ବରୁ ୪୮ଘଣ୍ଟା ପାଇଁ ଜାରି ହୋଇଥିବା କର୍ଫ୍ୟୁ କଟକଣା ଅନ୍ୟାନ୍ୟ ଅଞ୍ଚଳରେ କୋହଳ କରାଯାଇଥିଲେ ମଧ୍ୟ ଶରଧାବାଲି ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ବଳବତ୍ତର ଥିଲା । ଠାକୁରମାନଙ୍କ ପହଣ୍ଡି ଅବସରରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କେ. ବିଶାଲ ସିଂ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିବେ । ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ କୋଟି ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଥିଲେ ମଧ୍ୟ ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ଶ୍ରୀଜିଉମାନଙ୍କ ଦର୍ଶନରୁ ବଞ୍ôଚତ ହେବେ । ଆସନ୍ତା ୨୦ତାରିଖ ମଙ୍ଗଳବାର ବାହୁଡ଼ାଯାତ୍ରା, ୨୧ତାରିଖ ଦିନ ରଥ ଉପରେ ବଡ଼ ତଢ଼ାଉ ବା ସୁନାବେଶ ଏବଂ ୨୨ତାରିଖ ଗୁରୁବାର ଅଧର ନୀତି ଅନୁଷ୍ଠିତ ହୋଇ ୨୩ ତାରିଖ ଶୁକ୍ରବାର ଠାକୁରମାନେ ନୀଳାଦ୍ରି ବିଜେ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking