ଖଲ୍ଲିକୋଟ : ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଏମିତି ଏକ ଅଭାନୀୟ ଘଟଣା ଘଟିଛି, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ତୁଳସୀପୁର ଗ୍ରାମରେ ।
ସୂଚନା ଅନୁଯାୟୀ, ତୁଳସୀପୁର ଗ୍ରାମର ଚିରଞ୍ଜିବୀ ପ୍ରଧାନଙ୍କ ପୁଅ କାଳୁ ଶୁକ୍ରବାର ସନ୍ଧ୍ୟା ବେଳେ ତାର ସାଙ୍ଗ ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ବସନ୍ତକୁ ଘରକୁ ଡାକିଥିଲା। ଆଜି ଭୋରରୁ ହଠାତ୍ ବସନ୍ତଙ୍କ କ୍ଷତାକ୍ତ ଶବ ଗ୍ରାମର ଜଳଗିରି ପୋଖରୀ ପାର୍ଶ୍ବ ବିଲରୁ ମିଳିଥିଲା। ବିଲରୁ ପୁଲିସ କିଛି ଧାରୁଆ ବ୍ଲେଡ୍ ବି ଜବତ କରିଛି। ଉଭୟଙ୍କ ଗଣ୍ଡଗୋଳରେ କାଳୁର ବେକରେ ଶକ୍ତ ଆଘାତ ଲାଗିଛି। କାଳୁ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ନିଜେ ଆସି ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲା।
ଗତ ଜୁଲାଇ ମାସରେ ବ୍ରହ୍ମପୁର ଜିଆରପି ଥାନା ଟ୍ରେନ୍ ଯାତ୍ରୀଙ୍କଠାରୁ ମୋବାଇଲ୍ ଲୁଟ୍ ମାମଲାରେ ଉଭୟ ଗିରଫ ହୋଇ ଜାମିନରେ ମୁକୁଳିଥିଲେ। ଅର୍ଥ ଭାଗବଣ୍ଟା କିମ୍ବା ନିଶାସକ୍ତ ଅବସ୍ଥାରେ ଉଭୟଙ୍କ ମଧ୍ୟରେ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଅନ୍ୟପକ୍ଷରେ ଧସ୍ତାଧସ୍ତିରେ ଆହତ ଅଭିଯୁକ୍ତ କାଳୁ ପ୍ରାଧନ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସିତ ହେଉଛି। ବର୍ତମାନ ସୁଦ୍ଧା ବି ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ସୂଚନା ମିଳିଛି ।