29.1 C
Bhubaneswar
Saturday, July 27, 2024
Homeଖେଳଫ୍ରେଞ୍ଚ୍ ଓପନ୍‌: ଶେଷ ୮ରେ ପେଗୁଲା ଓ କାଟାଟ୍‌କିନା, ସିଟ୍‌ସିପାସ୍‌ଙ୍କୁ ବିଦାକରି କ୍ୱାର୍ଟର୍‌ରେ ରୁନ୍‌

ଫ୍ରେଞ୍ଚ୍ ଓପନ୍‌: ଶେଷ ୮ରେ ପେଗୁଲା ଓ କାଟାଟ୍‌କିନା, ସିଟ୍‌ସିପାସ୍‌ଙ୍କୁ ବିଦାକରି କ୍ୱାର୍ଟର୍‌ରେ ରୁନ୍‌

ପ୍ୟାରିସ୍‌: ଚଳିତ ଫ୍ରେଞ୍ଚ୍ ଓପନ୍‌ର ନବମ ଦିନରେ ସୋମବାର ପୁରୁଷ ସିଙ୍ଗଲ୍ସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଡେନ୍‌ମାର୍କର ୧୯ ବର୍ଷୀୟ ଖେଳାଳି ହୋଲ୍‌ଗର୍ ରୁନ୍ । ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସାମିଲ୍ ହୋଇଥିବା ରୁନ୍ ସୋମବାର ଚତୁର୍ଥ ରାଉଣ୍ଡ୍ ମୁକାବିଲାରେ ଚତୁର୍ଥ ସିଡ୍ ତଥା ଗତବର୍ଷର ଫାଇନାଲିଷ୍ଟ୍ ଷ୍ଟେଫାନୋସ୍ ସିଟ୍‌ସିପାସ୍‌ଙ୍କୁ ୭-୫,୩-୬,୬-୩,୬-୪ରେ ପରାସ୍ତ କରି ବିଦାୟ ପଥ ଦେଖାଇଛନ୍ତି । ଏଥିସହ ରୁନ୍ ପ୍ରଥମ ଡେନ୍‌ମାର୍କ ଖେଳାଳି ଭାବେ ୧୯୬୭ ପରେ କୌଣସି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିପାରିଛନ୍ତି ।

ସେହିପରି ସେ ଡେନ୍‌ମାର୍କର ପ୍ରଥମ ଖେଳାଳି ଭାବେ ଫ୍ରେଞ୍ଚ୍ ଓପନ୍ କ୍ୱାର୍ଟର୍‌ରେ ପହଞ୍ଚିଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ସ୍ପେନ୍‌ର ଷଷ୍ଠ ସିଡ୍ କାର୍ଲୋସ୍ ଆଲକାରାଜ୍ ମଧ୍ୟ ଅନ୍ୟତମ ଟିନ୍‌ଏଜର୍ ଭାବେ କ୍ୱାର୍ଟର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ସେ ସୋମବାର ପ୍ରିକ୍ୱାର୍ଟର୍ ମୁକାବିଲାରେ ୨୧ତମ ସିଡେଡ୍ ରୁଷିଆର କାରେନ୍ ଖାଚାନୋଭ୍‌ଙ୍କୁ ୬-୧,୬-୪,୬-୪ରେ ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି । ତା’ଛଡ଼ା ଅଷ୍ଟମ ସିଡ୍ ନରୱେର କ୍ୟାସପର୍ ରୁଡ୍ ଚତୁର୍ଥ ରାଉଣ୍ଡ୍ ମୁକାବିଲାରେ ପୋଲାଣ୍ଡ୍‌ର ଦ୍ୱାଦଶ ସିଡ୍ ହୁବର୍ଟ ହୁର୍‌କାଜ୍‌ଙ୍କୁ ୬-୨,୬-୩,୩-୬, ୬-୩ରେ ହରାଇ ଶେଷ ୮ ଖେଳାଳି ସୂଚୀରେ ସାମିଲ୍ ହୋଇଛନ୍ତି ।

ପୂର୍ବରୁ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଅନ୍ୟ ଏକ ଚତୁର୍ଥ ରାଉଣ୍ଡ୍ ମୁକାବିଲାରେ ପଞ୍ଚମ ସିଡେଡ୍ କ୍ଲେକୋର୍ଟ ବାଦ୍‌ଶାହ ସ୍ପେନ୍‌ର ରାଫେଲ୍ ନାଡାଲ୍ ନବମ ସିଡ୍ କାନାଡାର ଫେଲିକ୍ସ ଆଗର୍‌-ଆଲିସାଇମ୍‌ଙ୍କୁ ୩-୬,୬-୩,୬-୩,୩-୬,୬-୩ରେ ହରାଇ କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିଛନ୍ତି । ଏହି ପର୍ଯ୍ୟାୟରେ ତାଙ୍କର ମୁକାବିଲା ସର୍ବିୟାର ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚ୍‌ଙ୍କ ସହ ହେବ। ତେବେ ପୂର୍ବରୁ କ୍ଲେକୋର୍ଟରେ ରାତିରେ ଖେଳିବାକୁ ନାପସନ୍ଦ କରିଥିଲେ ମଧ୍ୟ ଏହି ମ୍ୟାଚ୍‌ଟି ରାତିରେ ଖେଳାଯିବାକୁ ଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି । କାରଣ ଜୋକୋଭିଚ୍ ନାଡାଲ୍‌ଙ୍କ ସହ ବିଳମ୍ବିତ ରାତିରେ ଖେଳିବାକୁ ପସନ୍ଦ କରୁଥିବା କହିସାରିଛନ୍ତି ।

ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ଏକାଦଶ ସିଡ୍ ଆମେରିକାର ଜେସିକା ପେଗୁଲା ତାଙ୍କ ଚତୁର୍ଥ ରାଉଣ୍ଡ୍ ମ୍ୟାଚ୍‌ରେ ରୋମାନିଆର ଇରିନା-କାମେଲିଆ ବେଗୁଙ୍କୁ ୬-୪,୨-୬,୬-୩ରେ ହରାଇ ପରବର୍ତ୍ତୀ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ତାଙ୍କ ବ୍ୟତୀତ ୨୯ତମ ସିଡେଡ୍ ରୁଷିଆର ଭେରୋନିକା କୁଡେର୍ମେଟୋଭା ଆମେରିକାର ୨୨ତମ ସିଡେଡ୍ ମାଡିସନ୍ କିଜ୍‌ଙ୍କୁ ୧-୬, ୬-୩, ୬-୧ରେ ପରାସ୍ତ କରି କ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି । ଆହୁରି ରୁଷିଆର ବିଂଶତମ ସିଡେଡ୍ ଦାରିଆ କାସାଟ୍‌କିନା ୨୮ତମ ସିଡେଡ୍ ଇଟାଲୀର କାମିଲା ଗିଓର୍ଗିଙ୍କୁ ୬-୨,୬-୨ରେ ହରାଇ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ୍ ଓପନ୍ କ୍ୱାର୍ଟର୍‌ରେ ପ୍ରବେଶ କରିଛନ୍ତି ।

ଏହି ମ୍ୟାଚ୍‌ଟିକୁ ୨୫ ବର୍ଷୀୟା କାସାଟ୍‌କିନା ୧ ଘଣ୍ଟା ୨୦ ମିନିଟ୍‌ରେ ଶେଷ କରିଥିଲେ । କ୍ୱାର୍ଟରରେ ତାଙ୍କର ମୁକାବିଲା କୁଡେର୍ମେଟୋଭାଙ୍କ ସହ ହେବ । ତା’ଛଡ଼ା ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏକ ଚତୁର୍ଥ ରାଉଣ୍ଡ୍ ମୁକାବିଲାରେ ଆମେରିକାର ସ୍ଲୋନ୍ ଷ୍ଟିଫେନ୍ସ ୨୩ତମ ସିଡେଡ୍ ସ୍ୱିଜରଲାଣ୍ଡ୍‌ର ଜିଲ୍ ଟିଚ୍‌ମାନ୍‌ଙ୍କୁ ୬-୨,୬-୦ରେ ପରାସ୍ତ କରି ଶେଷ ୮ ଖେଳାଳିଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking