ଭୁବନେଶ୍ୱର: ଲୋନ୍ ଦେବା ନାଁରେ ୧୩ହଜାର ୫୦୦ଟଙ୍କା ଠକି ନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳର ମନୋରଞ୍ଜନ ପାତ୍ର(୪୮) । ତାଙ୍କ ଠାରୁ ୩ଟି କମ୍ପ୍ୟୁଟର, ମୋବାଇଲ ଓ ଲୋନ୍ ସମ୍ପର୍କିତ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି । ଏନେଇ ପୁଲିସ କେସ୍ ନଂ ୫୪୨/୨୧ରେ ଆଇପିସି ଧାରା ୪୦୬/୪୨୦ରେ ଏକ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହୋଇଯିବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷେ ପୁଲିସ ତଦନ୍ତ କରିବାରୁ ଜାଣିବାକୁ ପାଇଛି ଯେ ମନୋରଞ୍ଜନ ଏକାଧିକ ଲୋକଙ୍କ ଠାରୁ ୨ଲକ୍ଷ ୨୩ହଜାର ୫୦୦ଟଙ୍କା ଠକେଇ କରିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ମନୋରଞ୍ଜନ ଭରତପୁର ଅଞ୍ଚଳରେ ମାନ୍ନା ଫାଇନାନ୍ସ ନାମକ ଏକ ସଂସ୍ଥା ଖୋଲିଥିଲେ । ନିଜକୁ ମାନ୍ନା ଫାଇନାନ୍ସ କମ୍ପାନୀର ଏମ୍ଡି ପରିଚୟ ଦେଇ ଲୋକଙ୍କୁ ଲୋନ୍ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଲୋନ୍ ନେବା ପାଇଁ ଚନ୍ଦ୍ରଶେଖରପୁର ଅଞ୍ଚଳର ଅଜିତ୍ ପାର୍ହି ନାମକ ଜଣେ ଯୁବକ ତାଙ୍କୁ ଯୋଗାଯୋଗ କରିଥିଲେ । ଲୋନ୍ ନେବାକୁ ହେଲେ ପ୍ରଥମେ ୧୦ହଜାର ଟଙ୍କା ଦେଇ ଆକାଉଣ୍ଟ ଖୋଲିବା ସହ ଦୈନିକ ୨୫୦ଟଙ୍କା ଜମା କରିବାକୁ ପଡ଼ିବ ବୋଲି ମନୋରଞ୍ଜନ କହିଥିଲେ ।
ଏହାପରେ ଯୁବକ ତାଙ୍କ ପାଖେ ଗତ ଅପ୍ରେଲ ୧୩ ତାରିଖରେ ଆକାଉଣ୍ଟ ଖୋଲିଥିଲେ । ପରେ ଅପ୍ରେଲ ୨୬ ତାରିଖ ଯାଏ ଫୋନ୍-ପେ’ ଜରିଆରେ ୨୫୦ଟଙ୍କା ଲେଖାଏ ପଠାଇଥିଲେ । ସମୁଦାୟ ୧୩ହଜାର ୫୦୦ଟଙ୍କା ଦେଇଥିବାବେଳେ ତାଙ୍କୁ କୌଣସି ଲୋନ୍ ପ୍ରଦାନ କରାଯାଇନଥିଲା । ଏନେଇ ସେ ମନୋରଞ୍ଜନଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ବି ସେ ଧରାଦେଇନଥିଲେ । ଏନେଇ ଯୁବକ ଜଣକ ଥାନାରେ ଅଭିଯୋଗ କରିଥିଲେ ।