ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ନକ୍ସଲ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି । ସେମାନେ ହେଲେ ହେଡକନେଷ୍ଟବଲ ରିତେଶ୍ୱର ଧ୍ରୁବ, ଯିତେନ୍ଦ୍ର ମାଣ୍ଡାରୀ, ଆସିତ ବାଟି ଏବଂ ଓମ ପ୍ରକାଶ ଦିବାନ । ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ବିଜାପୁର ଜିଲ୍ଲାର କଟ୍ଟୁର ଥାନା ଅନ୍ତର୍ଗତ ଦରଭା ସିଏଏଫ କ୍ୟାମ୍ପ ଉପରେ ଅଚାନକ ନକ୍ସଲ ହମଲା କରିଦେଇଥିଲେ । ଯବାନ ରାତିରେ ଶୋଇଥିବା ବେଳେ ଅତର୍କିତ ଗୁଳି କରିଥିଲେ । କ୍ୟାମ୍ପ ଉପରକୁ ଆସିବା ଜାଣିବା ପରେ ସେଣ୍ଟ୍ରି ପଏଣ୍ଟରେ ଥିବା ଯବାନ ପାଲଟା ଜବାବ ଦେଇଥିଲେ ।
ତେବେ ନକ୍ସଲ କ୍ୟାମ୍ପ ଉପରକୁ ବିଜିଏଲ ପକାଇଥିଲେ, ଯାହାଫଳରେ କ୍ୟାମ୍ପରେ ବୋମା ଫୁଟିଥିଲା । ରାତି ପ୍ରାୟ ସାଢେ ଏଗାରଟା ହେବ । ଯବାନ ନକ୍ସଲ ହମଲା ହୋଇଥିବା ଜାଣିବା ପରେ ନିଜ ନିଜ ପୋଜିସନ ନେଇ ନକ୍ସଲକୁ ପାଲଟା ଜବାବ ଦେଇଥିଲେ । ପ୍ରାୟ ୪ ଘଣ୍ଟା ଧରି ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ପରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ପଛଘୁଞ୍ଚା ଦେଇଥିଲେ । ନକ୍ସଲ ଆକ୍ରମଣର ଶିକାର ହୋଇଥିବା ଗୁରୁତର ଯବାନମାନଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଉ ଦୁଇ ଆହତଙ୍କୁ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯବାନ ନକ୍ସଲର ପିଛା କରି ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା କୁହାଯାଇଛି । କ୍ୟାମ୍ପ ଉପରକୁ ନକ୍ସଲ ହମଲା କରିବା ଘଟଣା ବିଜାପୁର ଜିଲ୍ଲାରେ ପ୍ରଥମ ବୋଲି କୁହାଯାଇଛି । ତେବେ କେହି ଯବାନ ମୃତ୍ୟୁବରଣ କରିନଥିବା କୁହାଯାଇଛି । ସେହିପରି ନକ୍ସଲ ପକ୍ଷରୁ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡିନାହିଁ ।