20.1 C
Bhubaneswar
Thursday, January 16, 2025
Homeଓଡିଶାପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଟଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଟଙ୍କ ପରଲୋକ

ବରଗଡ : ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା ର ପୂର୍ବତନ ମନ୍ତ୍ରୀ ରିପୁନାଥ ସେଟ ଙ୍କ ଆଜି ପୂର୍ବାହ୍ନ ରେ ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ଗତକାଲି ପୌର ନିର୍ବାଚନ ଫଳାଫଳ ଆସିବା ପରେ ସେ କର୍ମୀ ମାନଙ୍କ ସହ ଆଲୋଚନା ପରେ ରାତିରେ ଯେମିତି ଶୋଇବାକୁ ଯାଆନ୍ତି ସେମିତି ଯାଇ ସୋଇଥିଲେ।ଆଜି ସକାଳେ ହଠାତ୍ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବରପାଲି ର ଏକ ଘରୋଇ ନର୍ସିଂହୋମ କୁ ନିଆଯାଇଥିଲା। ପରେ ତାଙ୍କୁ ବରପାଲି ସି ଏଚ ସି କୁ ନିଆଯାଇଥିଲା ଯେଉଁଠି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସ୍ବର୍ଗତ ରିପୁନାଥ ସେଟ ୨୭ ଅକ୍ଟୋବର ୧୯୫୮ ମସିହା ରେ ବରପାଲି ଠାରେ ସ୍ବର୍ଗତ ଖଗେଶ୍ବର ସେଟ ଙ୍କ ଔରସ ରୁ ଜନ୍ମ ଗ୍ରହଣ କରିଥିଲେ।ବରପାଲି ସରକାରୀ ପ୍ରାଥମିକ ସ୍କୁଲ, ପରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ୧୯୭୩ ମାଟ୍ରିକ ପାଶ କରିବା ପରେ ,ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟ ରୁ ସ୍ନାତକ ଓ ସମ୍ବଲପୁର ଲାଲା ଲଜପତ୍ ରାୟ ଆଇନ ମହାବିଦ୍ୟାଳୟ ରୁ ଆଇନ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ପରେ ଓଡ଼ିଶା ବାର କାଉନସିଲ ରେ ନାମ ପଞ୍ଜିକରଣ ପରେ ବରଗଡ ଜିଲ୍ଲା ଓକିଲ ସଂଘ ରେ ସଦସ୍ୟତା ଗ୍ରହଣ କରିଥିଲେ।ଯୁବାବସ୍ଥାରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ରେ ସାମିଲ ହୋଇ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ନିକଟତର ହୋଇ ରାଜୀବ ଙ୍କ ୟଙ୍ଗ ତୁର୍କ ରେ ସାମିଲ ହୋଇ ସେତେବେଳେ ସମଗ୍ର ଓଡ଼ିଶାରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ପ୍ରଥମେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ତାଙ୍କର ସେ ରାଜନୈତିକ କ୍ୟାରୀୟର ଆରମ୍ଭ କରିଥିଲେ।୧୯୯୦ ମସିହା ରେ ତାଙ୍କୁ ବିଜେପୁର ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ଦଳ ପ୍ରାର୍ଥୀ କରିଥିଲା।

ସେ ସ୍ବର୍ଗତ ନିକୁଞ୍ଜ ବିହାରୀ ସିଂ ଙ୍କ ଠାରୁ ହାରି ଯାଇଥିଲେ।୧୯୯୧ ମସିହା ରେ ନିକୁଞ୍ଜ ବିହାରୀ ସିଂ ଙ୍କ ଦେହାନ୍ତ ପରେ ଅନୁଷ୍ଠିତ ଉପ ନିର୍ବାଚନ ରେ କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ ନ କରି ସ୍ବର୍ଗତ ମୋହନ ନାଗ ଙ୍କୁ ପ୍ରାର୍ଥୀ କରିଥିଲା ଯାହାକି ସେ ମଧ୍ୟ ହାରି ଯାଇଥିଲେ।ପୁଣି ସ୍ବର୍ଗତ ସେଟ ଙ୍କୁ ଦଳ ୧୯୯୫ ମସିହା ରେ ବିଜେପୁର ରୁ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା।ଏହି ନିର୍ବାଚନ ରେ ସେ ଜନତା ଦଳ ପ୍ରାର୍ଥୀ ଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ। ସେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ପାଇ ପାରିନଥିଲେ ମଧ୍ୟ ୧୯୯୯ ଫେବୃୟାରୀ ମାସରେ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଇସ୍ତଫା ପରେ ସେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଙ୍କ ମନ୍ତ୍ରୀ ମଣ୍ଡଳ ରେ ରାଜ୍ୟମନ୍ତ୍ରୀ ଭାବରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଦାଇତ୍ୱ ନେଇଥିଲେ।ପରେ ଡିସେମ୍ବର ୧୯୯୯ ମସିହାରେ ଗିରିଧର ଗମାଙ୍ଗ ଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେଇଥିବା ସ୍ବର୍ଗତ ହେମାନନ୍ଦ ବିଶ୍ୱାଳ ଙ୍କ ମନ୍ତ୍ରୀ ମଣ୍ଡଳ ରେ ଶକ୍ତି ଓ କ୍ରୀଡା ରାଜ୍ୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୦ ମସିହା ରେ ପୁଣି ବିଜେପୁର ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢି ଜନତା ଦଳ ର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଙ୍କ ଠାରୁ ପରାଜିତ ହୋଇଥିଲେ।

୨୦୦୪ ରେ ଭଟଲି ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢି ବିଜେପି ର ତତ୍କାଲିନ ରାଜ୍ୟ ସଭାପତି ବିମ୍ବାଧର କୁଅଁର ଙ୍କ ଠାରୁ ଅଳ୍ପ ବ୍ୟବଧାନ ରେ ହାରି ଯାଇଥିଲେ।ତାପରେ ଦଳୀୟ ବୈଠକ ମାନଙ୍କ ରେ ଯୋଗ ଦେଉଥିଲେ ମଧ୍ୟ ସେତେଟା ସକ୍ରିୟ ରହି ନ ଥିଲେ। ଦୀର୍ଘ ୧୪ ବର୍ଷ ପରେ ବିଜେପୁର ର କଂଗ୍ରେସ ବିଧାୟକ ସୁବଳ ସାହୁ ଙ୍କ ଦେହାନ୍ତ ପରେ ସେ ଉପ ନିର୍ବାଚନ ରେ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିନଥିଲା। ଏହି ନିର୍ବାଚନ ରେ ସ୍ବର୍ଗତ ବିଧାୟକ ସୁବଳ ସାହୁ ଙ୍କ ପତ୍ନୀ ରୀତା ସାହୁ ବିଜୟୀ ହୋଇଥିଲେ। ପୁଣି ୨୦୧୯ ର ସାଧାରଣ ନିର୍ବାଚନ ରେ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ରୁ ନିର୍ବାଚନ ଲଢ଼ିଲେ ସ୍ବର୍ଗତ ରିପୁ ସେଟ ଙ୍କୁ କଂଗ୍ରେସ ଦଳ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା, ସେହି ନିର୍ବାଚନ ସେ ହାରି ଯାଇଥିଲେ। ତାପର ଠୁ ସେ ପୁଣି ସକ୍ରିୟ ହୋଇ ଉଠିଥିଲେ ବି ତାଙ୍କ୍ ର ବଡ଼ ପୁଅ ଅଭିଷେକ କୁ ଉତ୍ତରାଧିକାରୀ ଭାବରେ ଆଗଭର କରୁଥିବା ପରିଲକ୍ଷିତ ହେଉଥିଲା।

ଗତ ୨୦୧୯ ସାଧାରଣ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଜିତି ହିଞ୍ଜିଳି ବିଧାନ ସଭା ସିଟ କୁ ରଖି ବିଜେପୁର ରୁ ଇସ୍ତଫା ଦେବା ପରେ ପୁଣି ହୋଇଥିବା ଉପ ନିର୍ବାଚନ ରେ କଂଗ୍ରେସ ଦଳ ପୁଣି ରିପୁ ବାବୁ ଙ୍କୁ ଅଣଦେଖା କରି ଦିଲ୍ଲୀପ ପଣ୍ଡା ଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ମଧ୍ୟ ବର୍ତ୍ତମାନ ର ବିଧାୟିକା ରୀତା ସାହୁ ଙ୍କ ଠାରୁ ହାରି ଯାଇଥିଲେ।ଦଳ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ରିପୁ ବାବୁ ଙ୍କ ଉପରେ ଭରସା କରି ବିଜେପୁର ନିର୍ବାଚନ ମଣ୍ଡଳୀ ର ଦାୟୀତ୍ୱ ଦେଇଥିଲା ଓ ସେ ବେଶ ସକ୍ରିୟ ମଧ୍ୟ ଥିଲେ। ଗତକାଲି ପୌର ନିର୍ବାଚନ ପରେ ଆଜି ହଠାତ୍ ତାଙ୍କର ମୃତ୍ୟୁ କେବଳ ଯେ କଂଗ୍ରେସ ଦଳର କର୍ମୀ ନୁହନ୍ତି ସାଧାରଣ ଜନତା ଙ୍କୁ ମଧ୍ୟ ହତବାକ କରିଦେଇଛି।ସ୍ବର୍ଗତ ରିପୁ ସେଟ ଙ୍କ ମୃତ୍ୟୁ ରେ ସମଗ୍ର ବରଗଡ ଜିଲ୍ଲା ରେ ଶୋକ ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking