ଭୁବନେଶ୍ୱର: କୋଭିଡ୍ କଟକଣା ସମୟରେ ରାଜ୍ୟର ଆର୍ଥିକ ବ୍ୟବସ୍ଥାଠୁ ଧରି ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ହେତୁ ନାନା ସମସ୍ୟା ଉପୁଜିଥିଲା । ବିଶେଷ କରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇ ଯାଇଥିଲା । ସ୍କୁଲ୍ ବନ୍ଦ ହେବା ପରେ ପିଲାଙ୍କ ପାଠ ପଢ଼ାଠୁ ଧରି ଧରି ବାର୍ଷିକ ପରୀକ୍ଷା ମଧ୍ୟ କଷ୍ଟ କର ହୋଇପଡ଼ିଥିଲା । ବହୁ କଷ୍ଟରେ ବାର୍ଷିକ ପରୀକ୍ଷା ହୋଇଥିଲେ ମଧ୍ୟ ପରୀକ୍ଷା ଫଳକୁ ନେଇ ବହୁ ପିଲା ଏବଂ ସେମାନଙ୍କ ଅଭିଭାବକମାନେ ରାଜ୍ୟର ବିଭିନ୍ନ ସ୍କୁଲ୍ ଆଗରେ ଧାରଣା ଦେଇଥିଲେ । ପରିଚାଳନାଗତ ତ୍ରୁଟି ପାଇଁ ଏହି ଧାରଣା ଦିଆଯାଇଥିବା ବେଳେ ସେହି ସମୟରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଖାସ୍ କରି ୨୦୨୧ରେ ଦଶମର ବାର୍ଷିକ ପରୀକ୍ଷା ଅନ୍ଲାଇନ୍ ହୋଇ ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ରାଜ୍ୟର ବିଭିନ୍ନସ୍କୁଲ୍ରେ ୯୦ ରୁ ଊର୍ଦ୍ଧ୍ୱ ପ୍ରତିଶତ ପିଲା ପାସ୍ କରିଥିଲେ । କିନ୍ତୁ କେତେକ ସ୍କୁଲ୍ର ଛାତ୍ରଛାତ୍ରୀ ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବହୁ ବାଦ ବିବାଦ ପରେ କିଛି ଦିନର ବ୍ୟବଧାନରେ ଅର୍ଥାତ୍ ଘଟଣାର ମାସେ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଅଫ୍ଲାଇନ୍ ପରୀକ୍ଷାକୁ ପୁଣି ମଞ୍ଜୁରୀ ଦେଇଥିଲେ । ତେବେ ସେ ଯାହା ହେଉନା କାହିଁକି ମାଟ୍ରିକ୍ ପରୀକ୍ଷାକୁ ନେଇ ୨୦୨୦ ଏବଂ ୨୦୨୧ ବର୍ଷରେ ଯେଉଁ ସମସ୍ୟା ଦେଖାଦେଇଥିଲା, ତାହା ଚଳିତଥର କିନ୍ତୁ ସାମ୍ନା କରିବାକୁ ପଡ଼ିବନି ।
ଅନ୍ୟପଟେ କେବଳ ସ୍କୁଲ୍ ପିଲା କାହିଁକି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ମଧ୍ୟ ଅନ୍ଲାଇନ୍ ପାଠପଢ଼ା ସାଙ୍ଗକୁ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଥିଲା । କୋଭିଡ୍ କଟକଣା ମଧ୍ୟରେ ହିଁ ଅନ୍ଲାଇନ୍ ପରୀକ୍ଷା ଚାଲିଥିବା ବେଳେ ଦଶମ ଓ +୨ ପିଲାଙ୍କ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଅଫ୍ଲାଇନ୍ ପରୀକ୍ଷା ପାଇଁ ଘୋଷଣା କରାଯାଇଥିଲା । ଏହି ଘୋଷଣା ପରେ କୋଭିଡ୍ ମହାମାରୀରେ ପିଲାଏ ନିଜକୁ ଅସୁରକ୍ଷିତ ମନେ କରି ବିଭିନ୍ନ ସ୍କୁଲ୍ କଲେଜ ଆଗରେ ଧାରଣା ଦେଇଥିଲେ । ଅଫ୍ଲାଇନ୍ ପରିବର୍ତ୍ତେ ଅନ୍ଲାଇନ୍ କରିବାକୁ ସେମାନେ ଦାବି କରିଥିଲେ ।