ଗଜପତି : ନଷ୍ଟ ହେଉଛି ପ୍ରବାସୀଙ୍କ ପାଇଁ ଆସୁଥିବା ଖାଦ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଗଜପତି ଜିଲ୍ଲା ନାକାଗେଟ୍ ନିକଟରେ । ଏଠାରେ ରହୁଥିବା ପ୍ରବାସୀଙ୍କ ସଂଖ୍ୟାଠାରୁ ବହୁ ଗୁଣ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ପ୍ରତିଦିନ ଶହ ଶହ ପ୍ୟାକେଟ୍ ଖାଦ୍ୟକୁ ଅଳିଆ ଗଦାରେ ଫିଙ୍ଗା ଯାଉଛି । କରୋନା ପରି ମହାମାରି ସମୟରେ ଖାଇବାକୁ ନପାଇ ପ୍ରବାସୀମାନେ ହଜାର ହାଜାର ମାଇଲ ବାଟ ଚାଲୁଥିବାବେଳ ଏଠାରେ ପ୍ରତିିଦିନ ବହୁ ପରିମାଣରେ ରନ୍ଧା ଖାଦ୍ୟକୁ ନଷ୍ଟ କରିଦିଆଯାଉଛି । ବିଭାଗୀୟ ଅଧିକାରୀମାନେ ସରକାରୀ ଅର୍ଥକୁ ଏଭଳି ଭାବରେ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ଅନୁଯାୟୀ, ନାକାଗେଟ୍ ନିକଟରେ ଥିବା ପ୍ରବାସୀଙ୍କ ଅସ୍ଥାୟୀ କ୍ୟାମ୍ପରେ ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଏ । ହେଲେ ପ୍ରବାସୀଙ୍କ ସଂଖ୍ୟା କମିଯାଇଥିବାରୁ ଆବଶ୍ୟକତା ଠାରୁ ବହୁ ପରିମାଣର ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଉଛି । ପରେ ଏହାକୁ ବସ୍ତାରେ ପ୍ୟାକ୍ କରି ନେଇ ଫୋପଡ଼ା ଯାଉଛି । ଏଥିଯୋଗୁ ସ୍ଥାନୀୟ ଅଂଚଳରେ ପଚି ଗନ୍ଧ ସୃଷ୍ଟି ହେଉଛି । ଏ ନେଇ ପଂଚାୟତ ପିଇଓଙ୍କୁ ପଚାରିବାରୁ ସେ କୁହନ୍ତି ବିଡିଓଙ୍କ ନିର୍ଦ୍ଦେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ତେବେ ଏ ଏନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।