29.1 C
Bhubaneswar
Thursday, May 2, 2024
Homeଖେଳଆଜିଠାରୁ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ର ଫ୍ଲୋରିଡା ଲେଗ୍‌: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଆଜିଠାରୁ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ର ଫ୍ଲୋରିଡା ଲେଗ୍‌: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଫୋର୍ଟ ଲାଉଡରହିଲ: ଚଳିତ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ତିନିଟି ମ୍ୟାଚ୍ ଇଣ୍ଡିଜ୍ ମାଟିରେ ଖେଳାଯିବା ପରେ ଅନ୍ତିମ ଦୁଇଟି ମ୍ୟାଚ୍ ଶନିବାରଠାରୁ ଫ୍ଲୋରିଡାର ଫୋର୍ଟ ଲାଉଡରହିଲ୍‌ଠାରେ ଖେଳାଯିବ । ସିରିଜ୍‌ରେ ୨-୧ରେ ଆଗୁଆ ଥିବା ଭାରତ ଶନିବାର ମୁକାବିଲାରେ ବିଜୟୀ ହୋଇ ସିରିଜ୍ ହାତେଇବା ସକାଶେ ଉଦ୍ୟମ କରିବ । ଆଗାମୀ ଟି-୨୦ ବିଶ୍ୱକପ୍ ସକାଶେ ଭାରତ ଏହି ସିରିଜ୍‌ରେ ବିଭିନ୍ନ ପ୍ରକାର ପ୍ରୟୋଗ କରିଆସିଥିବା ବେଳେ ତୃତୀୟ ନମ୍ବରରେ ବ୍ୟାଟିଂ କରୁଥିବା ଶ୍ରେୟସ୍ ଆୟରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଦୀପକ ହୁଡ୍ଡା ନିକଟ ଅତୀତରେ ମିଳିଥିବା ସୁଯୋଗର ଉପଯୁକ୍ତ ଫାଇଦା ନେଇଥିବାରୁ ଆୟରଙ୍କ ପାଖରେ ଅନ୍ତିମ ଦୁଇଟି ଟି-୨୦ରେ ଭଲ ପ୍ରଦର୍ଶନ ମାଧ୍ୟମରେ ନିଜର ସ୍ଥାନ ସୁରକ୍ଷିତ କରିବା ସୁଯୋଗ ରହିଛି ।

ଚଳିତ ମାସ ଅନ୍ତିମ ଭାଗରେ ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍‌ରେ ଦଳକୁ ବିରାଟ କୋହଲି ଓ ଲୋକେଶ ରାହୁଲ୍ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ଥିବାରୁ ଆୟରଙ୍କ ପାଖରେ ନିଜକୁ ପ୍ରମାଣିତ କରିବା ପାଇଁ ଆଉ ବିଶେଷ ସୁଯୋଗ ନାହିଁ ବୋଲି କହିଲେ ଚଳେ । ତେଣୁ ଆଗାମୀ ବିଶ୍ୱକପ୍ ପାଇଁ ନିଜର ଦାବିଦାରୀକୁ ଅଧିକ ସଶକ୍ତ କରିବା ପାଇଁ ଆୟର୍‌ଙ୍କୁ ଅନ୍ତିମ ଦୁଇଟି ମ୍ୟାଚ୍‌ରେ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଆହତ ହୋଇଥିବା ଅଧିନାୟକ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶକୁ ଫେରିବେ ବୋଲି ବିସିସିଆଇ କହିସାରିଛି । ତେଣୁ ଇନ୍‌ଫର୍ମ ସୂର୍ଯ୍ୟକୁମାର ଯାଦବ ଓ ରୋହିତ ଏଠାରେ ଦମ୍‌ଦାର ପ୍ରାରମ୍ଭ ଦେବା ସକାଶେ ପ୍ରସ୍ତୁତ ବୋଲି କହିପାରିବା । ଅନ୍ତିମ ଦୁଇଟି ମ୍ୟାଚ୍‌ରେ ସେ ତାଙ୍କର ଉନ୍ନତ ଫର୍ମକୁ କାଏମ ରଖିବା ସହ ସାଥୀ ବ୍ୟାଟ୍ସମ୍ୟାନ୍‌ଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ । ସେହିପରି ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏଠାକାର ସେଣ୍ଟ୍ରାଲ୍ ବ୍ରୋୱାର୍ଡ ପାର୍କ ଷ୍ଟାଡିୟମ୍‌ଠାରେ କାଏମ ରଖିବା ଆଶା ରହିଛି ।

ବୋଲିଂ ଲାଇନ୍‌ଅପ୍‌ରେ ମଧ୍ୟପ୍ରଦେଶ ପେସର୍ ଅଭେଶ ଖାନ୍ ଗତ ଦୁଇଟି ମ୍ୟାଚ୍‌ରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବା ନିଶ୍ଚିତ । କାରଣ ଅନ୍ୟତମ ପେସର୍ ହର୍ଷଲ୍ ପଟେଲ୍ ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ଲାଭ କରିପାରିନାହାନ୍ତି । ତେବେ ପରିସ୍ଥିତି ଅନୁକୂଳ ରହିଲେ ଜଣେ ଅତିରିକ୍ତ ସ୍ପିନର୍ ଭାବେ ଅଭେଶଙ୍କ ସ୍ଥାନରେ ଚାଇନାମାନ୍ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିପାରେ । ଅନ୍ୟପକ୍ଷରେ ବୋଲିଂ ଅଲ୍‌ରାଉଣ୍ଡର୍ ଡୋମିନିକ୍ ଡ୍ରେକ୍ସଙ୍କ ସ୍ଥାନରେ ୱେଷ୍ଟ୍‌ଇଣ୍ଡିଜ୍ ଟିମ୍‌ରେ ଅଲ୍‌ରାଉଣ୍ଡର୍ ଓଡିନ୍ ସ୍ମିଥ୍‌ଙ୍କୁ ସାମିଲ୍ କରାଯାଇପାରେ । ଯଦିବା ଅଧିନାୟକ ନିକୋଲାସ୍ ପୂରନ୍ ଚୂଡ଼ାନ୍ତ ଏକାଦଶରେ ଡ୍ରେକ୍ସଙ୍କୁ କାଏମ ରଖନ୍ତି, ତା’ହେଲେ ସେ ୱିକେଟ୍‌କିପର୍ ଡେଭନ୍ ଥୋମାସ୍‌ଙ୍କ ସ୍ଥାନରେ ବି ସ୍ମିଥ୍‌ଙ୍କୁ ନେଇପାରିବେ । ଏପରି ସ୍ଥିତିରେ ପୂରନ୍‌ଙ୍କୁ ନିଜେ ୱିକେଟ୍‌କିପର୍ ଭୂମିକା ତୁଲାଇବାକୁ ପଡ଼ିବ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଅଭେଶ ଖାନ୍‌/କୁଲଦୀପ ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ୟୁଜବେନ୍ଦ୍ର ଚହଲ୍ ଓ ଅର୍ଶଦୀପ ସିଂହ ।

ସମ୍ଭାବ୍ୟ ଇଣ୍ଡିଜ୍ ଏକାଦଶ: କାଇଲ୍ ମାୟେର୍ସ, ବ୍ରେଣ୍ଡନ୍ କିଙ୍ଗ୍‌, ନିକୋଲାସ୍ ପୂରନ୍ (ଅଧିନାୟକ), ଶିମରୋନ୍ ହେଟମେୟର୍‌, ରୋଭମାନ୍ ପାୱେଲ୍‌, ଡେଭନ୍ ଥୋମାସ୍ (ୱିକେଟ୍‌କିପର୍‌), ଜେସନ୍ ହୋଲ୍ଡର, ଆକିଲ୍ ହୋସେନ୍‌, ଡୋମିନିକ୍ ଡ୍ରେକ୍ସ/ଓଡିନ୍ ସ୍ମିଥ୍‌, ଆଲ୍‌ଜାରି ଜୋସେଫ୍ ଓ ଓବେଦ୍ ମ୍ୟାକ୍‌କୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking