ବେଜିଙ୍ଗ୍: ବାତ୍ୟା ‘ଡୋକ୍ସୁରି’ ପ୍ରଭାବ ଯୋଗୁଁ ଗତ ଅଳ୍ପ କେତେ ଦିନ ହେବ ଚୀନ୍ର ରାଜଧାନୀ ବେଜିଙ୍ଗ୍ରେ ଯେଉଁ ପରିମାଣରେ ବର୍ଷା ହୋଇଛି, ତାହା ଅନ୍ୟୂନ ୧୪୦ ବର୍ଷ ମଧ୍ୟରେ ହୋଇ ନ ଥିଲା ବୋଲି ‘ଆସୋସିଏଟ୍ ପ୍ରେସ୍’ ରିପୋର୍ଟ କରିଛି।
ବର୍ଷା ପାଣିରେ ରାସ୍ତାଘାଟ ସବୁ କେନାଲ୍ ପାଲଟି ଯିବାରୁ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜରୁରୀକାଳୀନ ଟିମ୍ ରବର୍ ବୋଟ୍ ବ୍ୟବହାର କରିଥିଲେ। ଶନିବାରରୁ ବୁଧବାର ସକାଳ ସୁଦ୍ଧା ବେଜିଙ୍ଗ୍ରେ ୭୪୪.୮ ମିଲିମିଟର୍ ବା ୨୦.୩ ଇଞ୍ଚ୍ ବର୍ଷା ରେକର୍ଡ କରାଯାଇଥିବା କଥା ‘ବେଜିଙ୍ଗ୍ ମେଟେଓରୋଲୋଜିକାଲ୍ ବ୍ୟୁରୋ’ ବୁଧବାର ଦିନ କହିଛି।
ଏହା ପୂର୍ବରୁ ୧୮୮୩ ମସିହାରେ ବେଜିଙ୍ଗ୍ରେ ୬୦୯ ମିଲିଲିଟର୍ ବା ୨୪ ଇଞ୍ଚ୍ ବର୍ଷା ହୋଇଥିବା ରେକର୍ଡ ରହିଛି। ଭୀଷଣ ବର୍ଷା ଯୋଗୁଁ ବେଜିଙ୍ଗ୍ରେ ୨୧ଜଣଙ୍କର ମୃତ୍ୟୁ ଘଟିଥିବା କଥା ବୁଧବାର ଦିନ ଜଣେ ଉଦ୍ଧାରକାରୀ ସୁନିଶ୍ଚିତ କରି କହିଛନ୍ତି। ଆଉ ୨୬ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା କଥା ମଧ୍ୟ ସେ କହିଛନ୍ତି। ପ୍ରାୟ ୮୫୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କଥା ହେବେଇ ପ୍ରଦେଶର ଆଞ୍ଚଳିକ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।