ଗୁଆହାଟୀ: ଆସାମରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି । ୩୫ଟି ମଧ୍ୟରୁ ୩୨ଟି ଜିଲ୍ଲାରେ ବନ୍ୟା ବିଭୀଷିକା ଉଗ୍ରରୂପ ଧାରଣ କରିଛି । ବୁଧବାର ଗୋଟିଏ ଦିନରେ ବିଭିନ୍ନ ଜିଲ୍ଲାରେ ୧୨ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି । ହାଜୋଲି ଜିଲ୍ଲାରେ ବୁଧବାର ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବାରପେଟା, ନଳବାଡିରେ ୩ ଜଣ ଲେଖାଏଁ ଏବଂ କାମରୁପରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଜୁନ ୧୯ରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ରାଜ୍ୟର ପ୍ରାୟ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି । ବନ୍ୟା ଯୋଗୁଁ ପ୍ରାୟ ଏକ ଲକ୍ଷ ହେକ୍ଟର ଜମିରେ ଫସଲ ହାନି ଘଟିଛି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୮୭୧ଟି ରିଲିଫ୍ କେନ୍ଦ୍ରରେ ଥଇଥାନ କରାଯାଇଛି । ଏପର୍ଯ୍ୟନ୍ତ କାଚାର, କରିମଗଞ୍ଜ, ଡାରାଙ୍ଗ୍, ଗୋଲପାଡା ଓ ମୋରିଗାଓଁ ଜିଲ୍ଲାର ଅଧିକାଂଶ ସ୍ଥାନ ଜଳମଗ୍ନ ରହିଛି । ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଓ ସେନା ଯବାନଙ୍କୁ ନିୟୋଜିତ କରାଯାଇଛି ।