କଟକ: ପ୍ରଶ୍ନପତ୍ର ବିକ୍ରି ଅଭିଯୋଗରେ ୫ ଗିରଫ । ୟୁଟ୍ୟୁବ୍ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ଗ୍ୟାକେଟ୍ ଧରାପଡ଼ିଛି । ଏହି ରାକେଟ୍ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର୍ ଓ ସରକାରୀ ସ୍କୁଲର ଜଣେ ଶିକ୍ଷକଙ୍କୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର, ସୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର । ଗିରଫ ସହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟାବଲେଟ୍ ଜବତ ହୋଇଛି । ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏକ ଏତଲା ଦେଇଥିଲେ । ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ । ଏପରିକ ପୂର୍ବ ବର୍ଷର ‘ପ୍ରି ବୋର୍ଡ’ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭାଇରାଲ୍ କରାଯାଇଥିଲା । ଅଭିଯୋଗ ଆଧାରରେ ଥାନା ପକ୍ଷରୁ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମଗାଯାଇଥିଲା । ଏହି ତଥ୍ୟ ଯାଞ୍ଚ ପରେ ଘଟଣା ପଛରେ ଏକ ବଡ଼ ଗ୍ୟାକେଟ୍ କାମ କରୁଥିବା ଜଣାପଡ଼ିଥିଲା ।