32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌; ୯ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟପରୀକ୍ଷା

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌; ୯ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ଆରମ୍ଭ । ୨୧ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୧୦୨ଟି ଆସନ ପାଇଁ ମତଦାନ ହେବ । ଏଥିମଧ୍ୟରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୭୩ଟି ଆସନ ସଂରକ୍ଷିତ ରହିଥିବା ବେଳେ ଏସ୍‌ଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୧ ଏବଂ ଏସ୍‌ସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୮ଟି ଆସନ ସଂରକ୍ଷିତ ରହିଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ଆସନଗୁଡ଼ିକ ହେଲା ନାଗପୁର, କନ୍ୟାକୁମାରୀ, ଚେନ୍ନାଇ ସେଣ୍ଟ୍ରାଲ, ମୁଜାଫରନଗର, ସାହାରନପୁର, ପିଲଭିତ, ଦିବ୍ରୁଗଡ଼, ଜୋରହାଟ, ଜୟପୁର, ବସ୍ତର, ନୈନିତାଲ ଏବଂ ଲାକ୍ଷାଦ୍ୱୀପ ଇତ୍ୟାଦି ରହିଛି । ଅନ୍ୟପକ୍ଷେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କିରଣ ରିଜିଜୁଙ୍କ ସମେତ ୯ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ୧୦୨ ଲୋକସଭା ଆସନ ସହ ଅରୁଣାଚଳ ଏବଂ ସିକ୍କିମ୍‌ର ସମସ୍ତ ବିଧାନସଭା ଆସନ ସମେତ ମୋଟ୍ ୯୨ ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ କରାଯିବ ।

ଗୁରୁବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି । ସେହିପରି ପ୍ରଥମ ଥର ପାଇଁ ଭୋଟିଂ ବ୍ୟବସ୍ଥାରେ ସାମିଲ ହୋଇ ଭୋଟ୍ ଦାନ କରିବାକୁ ଥିବା ନବାଗତ ଭୋଟରମାନଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରାଯାଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଏଥିରେ ୧୮ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ଭୋଟରଙ୍କୁ ସ୍ୱାଗତ କରିବେ । ଏଥିପାଇଁ ୧.୮୭ ଲକ୍ଷ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ଭୋଟରଙ୍କ ମଧ୍ୟରେ ୮.୪ କୋଟି ପୁରୁଷ ରହିଥିବା ବେଳେ ୮.୨୩ କୋଟି ମହିଳା ଏବଂ ୧୧,୩୭୧ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ପ୍ରଥମ ଥର ପାଇଁ ୩୫.୬୭ ଲକ୍ଷ ଭୋଟର ଭୋଟ୍ ଦେବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରୁ ୨୦-୨୯ ବର୍ଷ ବୟସ ବର୍ଗରେ ୩.୫୧ କୋଟି ଯୁବ ଭୋଟର ଅଛନ୍ତି ।

ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬.୬୩ କୋଟି ଭୋଟର ରହିଥିବା ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିମଧ୍ୟରେ ୧୪୯୧ ପୁରୁଷ ପ୍ରାର୍ଥୀ ରହିଥିବା ବେଳେ ୧୩୪ ମହିଳା ପ୍ରାର୍ଥୀ ରହିଛନ୍ତି । ଏଡିଆର ରିପୋର୍ଟ ଅନୁସାରେ ଏମାନଙ୍କ ମଧ୍ୟରେ ୧୬% ପ୍ରାର୍ଥୀ ଅର୍ଥାତ୍ ୨୫୨ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ୪୫୦ ପ୍ରାର୍ଥୀ କୋଟିପତି ଭାବେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ୧୦ଜଣ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ପରିମାଣ ଶୂନ୍ୟ ଥିବା ଦର୍ଶାଇଛନ୍ତି । ସେହିପରି ସମ୍ବେଦନଶୀଳ ଅଞ୍ଚଳ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିବା ଏବଂ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ପ୍ରକାଶ, ୨୦୨୪ରେ ୧୮ତମ ଲୋକସଭା ପାଇଁ ଦେଶବ୍ୟାପୀ ୭ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯ ତାରିଖ ଅର୍ଥାତ୍ ଆସନ୍ତା କାଲି ଠାରୁ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଦେଶର ମୋଟ୍ ୧୦୨ ଟି ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ କରାଯିବ । ଗୁରୁତ୍ୱପୂର୍ଣ୍ଣ ଆସନ ବ୍ୟତୀତ ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୨ଟି ଆସନ, ଆସାମର ୫ଟି ଆସନ, ଉତ୍ତରାଖଣ୍ଡର ୫ ଆସନ, ବିହାରର ୪ଟି ଆସନ, ଛତିଶଗଡ଼ର ଗୋଟିଏ ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ମହାରାଷ୍ଟ୍ରର ୫ଟି ଆସନ, ମଣିପୁରର ୨ଟି ଆସନ, ମେଘାଳୟର ୨ ଆସନ, ମିଜୋରାମ, ନାଗାଲାଣ୍ଡ୍‌, ପୁଡୁଚେରି, ସକ୍କିମ ଏବଂ ଲାକ୍ଷଦ୍ୱୀପର ଗୋଟିଏ ଲେଖାଏ ଆସନ, ରାଜସ୍ଥାନର ୧୨ଟି ଆସନ, ତାମିଲନାଡ଼ୁର ସମସ୍ତ ୩୯ଟି ଆସନରେ ମତଦାନ ହେବ ।

ସେହିଭଳି ଉତ୍ତରପ୍ରଦେଶର ୮ଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗର ୩ଟି ଆସନ, ଆଣ୍ଡାମାନ ଏବଂ ନିକୋବରର ଗୋଟିଏ ଆସନ, ଜମ୍ମୁ କାଶ୍ମୀରର ଗୋଟିଏ ଆସନ ଏବଂ ତ୍ରିପୁରାର ଗୋଟିଏ ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ଏହିସବୁ ଆସନରେ ବିଜେପି ଖାତାକୁ ୪୦ଟି ଲୋକସଭା ଆସନ ଯାଇଥିବା ବେଳେ ଡିଏମ୍‌କେକୁ ୨୪ଟି, କଂଗ୍ରେସକୁ ୧୫ଟି ଏବଂ ଅନ୍ୟାନ୍ୟ ଦଳଙ୍କୁ ୨୩ଟି ଆସନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking