ଭୁବନେଶ୍ୱର: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ରେ ଏତଲା । ଦିଲ୍ଲୀ ପୋଲିସ ପକ୍ଷରୁ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀଙ୍କ ବିରୋଧରେ ଏଫଆଇଆର ହୋଇଛି । ଜନ୍ତର ମନ୍ତର ନିକଟରେ ବୁଧବାର ହୋଇଥିବା ଇଣ୍ଡିଆ ବ୍ଲକର ପ୍ରଦର୍ଶନ ବେଳେ ପୋଲିସ କର୍ମୀଙ୍କ ସହିତ ଧସ୍ତାଧସ୍ତି ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଏହି ଏଫଆଇଆର ହୋଇଛି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଙ୍କ ବିରୋଧରେ ଏହି ପ୍ରଦର୍ଶନ କରାଯାଉଛି । ଏସଆଇଆର କୁ ନେଇ ଅନିୟମିତତାର ଅଭିଯୋଗ ଉଠାଇ ବିରୋଧୀ ଦଳ ଗୁଡିକ ଏହି ଆନ୍ଦୋଳନ ଚଳାଇଛନ୍ତି । ଜନ୍ତରମନ୍ତର ଆଡକୁ ଯାଉଥିବା ବେଳେ ପୋଲିସ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାଙ୍କୁ ଅଟକାଇଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ପୋଲିସର ଅଭିଯୋଗ । ପୋଲିସର କହିବା ଅନୁସାରେ ଘଟଣାର ଭିଡିଓ ଯାଞ୍ଚ କରାଯାଇ ଯେଉଁମାନେ ପୋଲିସ କର୍ମୀଙ୍କ ସହିତ କଥିତ ମାରପିଟ କିମ୍ବା ସରକାରୀ କାମରେ ବାଧା ଦେଇଥିଲେ , ସେମାନଙ୍କ ଭୂମିକା ଯାଞ୍ଚ ହେଉଛି । ପ୍ରଦର୍ଶନ ବେଳେ ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତାଙ୍କୁ ପୋଲିସ ହେପାଜତକୁ ନେଇଥିଲା । ମୋଟ ୯୧ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ରହିଛି । ଏବେ ଏଫଆଇଆର ପରେ ଘଟଣାର କେତେ ଭୂମିକା ରହିଛି ସେନେଇ ତଦନ୍ତ ଆଗକୁ ବଢିବ ।










