ନୂଆଦିଲ୍ଲୀ: ମହିଳା ରେସଲର ଯୌନ ଶୋଷଣ ମାମଲା । ପୂର୍ବତନ ସାସଂଦ ତଥା କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଚରଣ ସିଂଙ୍କୁ କ୍ଲିନଚିଟ । ରାଉଜ ଆଭେନ୍ୟୁ କୋର୍ଟଙ୍କ ଦ୍ୱାରା ବ୍ରିଜ ଭୂଷଣଙ୍କୁ ଦୋଷମୁକ୍ତ କରାଯାଇଛି ।ମହିଳା ପହେଲମାନଙ୍କ ଦ୍ୱାରା ଅଣାଯାଇଥିବା ଯୌନ ଶୋଷଣ ଅଭିଯୋଗ ମାମଲାରେ ଭାରତୀୟ କୁସ୍ତି ମହାସଂଘ ଡବ୍ଲ୍ୟୁଏଫଆଇ ତଥା ବିଜେପିର ପୂର୍ବତନ ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି କୋର୍ଟ । ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ପୂର୍ବତନ ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି, ତାଙ୍କ ବିରୋଧରେ ଏକ ବଡ ଧରଣର ଷଡଯନ୍ତ୍ର କରାଯାଇଥିଲା । ସତ୍ୟର ବିଜୟ ହୋଇଛି । ଏବଂ ଆରମ୍ଭରୁ ସେ କହି ଆସୁଥିଲେ, ସେ ସମ୍ପୁର୍ଣ୍ଣ ଭାବେ ନିରିହ । ଦେଶର କିଛି ପ୍ରମୁଖ ମହିଳା କୁସ୍ତି ଯୋଦ୍ଧା ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଏବଂ ଅପ୍ରୀତିକର ଆଚରଣ ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ । ଏ ପ୍ରସଙ୍ଗକୁ ନେଇ ଦିଲ୍ଲୀର ଯନ୍ତର ମନ୍ତର ଠାରେ ପହେଲମାନମାନେ ଦୀର୍ଘ ଦିନ ଧରି ଧାରଣାରେ ବସିବା ସହ ବ୍ୟାପକ ଆନ୍ଦୋଳନ କରିଥିଲେ । ଯାହା ଦଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ କରାଯାଇ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା । ଦୀଲ୍ଲୀ କୋର୍ଟରେ ମାମଲାର ଦୀର୍ଘ ଶୁଣାଣି ଏବଂ ଉଭୟ ପକ୍ଷର ଯୁକ୍ତିତର୍କ ଶେଷ ହେବାପରେ ଆଜି ନ୍ୟାୟାଳୟ ନିଜର ଚୂଡାନ୍ତ ରାୟ ଶୁଣାଇଛନ୍ତି । କୋର୍ଟଙ୍କର ରାୟ ଅନୁସାରେ ଅଭିଯୋଗକାରୀ ପକ୍ଷ ଆବଶ୍ୟକୀୟ ଆଇନଗତ ମାନଦଣ୍ଡ ଅନୁସାରେ ଅଭିଯୋଗକୁ ପ୍ରମାଣ କରିବାର ବିଫଳ ହୋଇଛନ୍ତି । ଏହି ରାୟ ପରେ କ୍ରୀଡାମହଲରେ ରାଜନୈତିକ ଚର୍ଚ୍ଚା ବେଶ ଜୋର ଧରିଛି ।










