17.1 C
Bhubaneswar
Friday, January 3, 2025
Homeଓଡିଶାଚିକିତ୍ସାଜନିତ ତ୍ରୁଟି ଯୋଗୁଁ ମହିଳା ମୃତ: ମୃତଦେହ ରଖି ଘରୋଇ ମେଡିକାଲ ସମ୍ମୁଖରେ ଧାରଣା

ଚିକିତ୍ସାଜନିତ ତ୍ରୁଟି ଯୋଗୁଁ ମହିଳା ମୃତ: ମୃତଦେହ ରଖି ଘରୋଇ ମେଡିକାଲ ସମ୍ମୁଖରେ ଧାରଣା

କେନ୍ଦୁଝର: କେନ୍ଦୁଝର ସହର ଚର୍ଚ୍ଚ ଛକ ନିକଟରେ ଥିବା କେନ୍ଦୁଝର ହସ୍ପିଟାଲ ନାମକ ଏକ ଘରୋଇ ହସପ୍‌ିଟାଲରେ ଭୁଲ୍ ଚିକିତ୍ସା ପାଇଁ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ପରିବାର ଲୋକ ମୃତଦେହକୁ ମେଡିକାଲ ସମ୍ମୁଖରେ ରଖି ନ୍ୟାୟ ପ୍ରଦାନ, ଦୋଷୀ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବାରିଆ ଥାନା ଅନ୍ତର୍ଗତ ପଡୁଆ ଗ୍ରାମର ନଳିନୀକାନ୍ତ ମହାନ୍ତଙ୍କ ପତ୍ନୀ ପୁଷ୍ପଲତା ମହାନ୍ତ (୨୪)ଙ୍କ ଯନ୍ତ୍ରଣା ହେବାରୁ ସେପ୍ଟେମ୍ବର ୨୪ ତାରିଖରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଯାଇଥିଲେ । ସେଠାରେ ତାଙ୍କର ଟ୍ୟୁମର ଅପରେସନ ହେବ ବୋଲି ଡାକ୍ତର କହିଥିଲେ ।

ମାତ୍ର ଏହି ଅପରେସନ ଏଠାରେ ହୋଇପାରିବ ନାହିଁ କହିଥିଲେ । ସେଠାରେ ଥିବା ଅନ୍ୟ ଜଣେ ଲୋକ ବାହାରେ ଏକ ନର୍ସିଂ ହୋମରେ ଅପରେସନ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶ କ୍ରମେ ଗତ ୩୦ତାରିଖ ଦିନ କେନ୍ଦୁଝର ନର୍ସିଂ ହୋମରେ ଅପରେସନ ପାଇଁ ଭର୍ତ୍ତି ହୋଇଥିଲେ । ଏଥିପାଇଁ ଲାପ୍ରୋସ୍କୋପି ଅପରେସନ ତାଙ୍କୁ ୪୦ ହଜାର ଟଙ୍କା ଜମା କରିବାକୁ କହିଥିଲେ । ୩୦ ତାରିଖ ଦିନ ଧାରକରଜ କରି ୪୦ହଜାର ଟଙ୍କା ଏବଂ ବିଭିନ୍ନ ପରୀକ୍ଷା ପାଇଁ ୩୬୫୦ ଟଙ୍କା ଜମା କରିବା ପରେ ୧ ତାରିଖ ରବିବାର ରାତିରେ ଡାକ୍ତର ଟ୍ୟୁମର ଅପରେସନ କରିଥିଲେ । ତେବେ ଅପରେସନ କରିବାର କିଛି ସମୟ ପରେ ପୁୁଷ୍ପଲତା ଗୁରୁତର ହୋଇ ପଡିଥିଲେ । ଡାକ୍ତର ତାଙ୍କୁ ତୁରନ୍ତ ଏକ ଏବି ନେଗେଟିଭ ବ୍ଲଡ ଆଣିବା ପାଇଁ ପରିବାର ଲୋକଙ୍କୁ କହିଥିଲେ । ରାତିରେ ସେମାନେ ବ୍ଲଡ୍ ବ୍ୟାଙ୍କ ଯିବା ସହ ବିଭିନ୍ନ ରକ୍ତଦାତାଙ୍କ ସହ ଯୋଗାଯୋଗ କରି ନିରାଶ ହୋଇଥିଲେ । ଗୁୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲର ଆମ୍ବୁଲାନ୍ସରେ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ରେଫର କରିଥିଲେ ।

ଯିବା ବାଟରେ ଗୁରୁତର ମହିଳା ଚଣ୍ଡିଖୋଲ ନିକଟରେ ପୁଷ୍ପଲତା ମୃତ୍ୟୁବରଣ କରିଥିବା ସନ୍ଦେହ କରି ପରିବାର ଲୋକେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରିବାର ଲୋକ ମୃତ ଶବ କେନ୍ଦୁଝର ରେ ପହଞ୍ଚିବା ପରେ ସୋମବାର ସକାଳ ୭ଟାରେ ଉକ୍ତ ଘରୋଇ ମେଡିକାଲ ସମ୍ମୁଖରେ ଶବ ରଖି ନ୍ୟାୟ ଦାବି କରିଥିଲେ । ପରେ ଟାଉନ ଥାନାରେ ମୃତା ମହିଳାଙ୍କ ସ୍ୱାମୀ ଏତଲା ଦେବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଅପରାହ୍ନ ୩ ଟାରେ ପରିବାର ଲୋକ ପୁଣି ମୃତଦେହକୁ ଘରୋଇ ମେଡିକାଲ ସମ୍ମୁଖରେ ରଖି ନ୍ୟାୟ ଏବଂ କ୍ଷତିପୂରଣ ଦାବି କରିଥିଲେ । ପୁଲିସ ପକ୍ଷରୁ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିବାର ଲୋକ ଧାରଣାରୁ ଓହରିଥିଲେ । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଲାପ୍ରୋସ୍କୋପି ଅପରେସନ କହି ଡାକ୍ତରଖାନା ପକ୍ଷରୁ ଓପନ ସର୍ଜରୀ କରାଯାଇଛି ।

ଏପରିକି ଅପରେସନ ପୂର୍ବରୁ ବ୍ଲଡ କେଉଁ ଗ୍ରୁପ ର ପରୀକ୍ଷା କରାଯାଇନଥିଲା ଏବଂ ଆବଶ୍ୟକ ବ୍ଲଡ ମହଜୁଦ ରଖାଯାଇନଥିଲା । ଗୁରୁତର ହେବା ପରେ ପରିବାର ଲୋକଙ୍କୁ ରାତି ଅଧରେ ବ୍ଲଡ ଆଣିବାକୁ କୁହାଯାଇଥିଲା । ଚିକିତ୍ସାରେ ତ୍ରୁଟି ଏବଂ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ସ୍ତ୍ରୀଙ୍କ ଜୀବନ ଯାଇଥିବା ନଳିନୀକାନ୍ତ ମହାନ୍ତ ଅଭିଯୋଗ କରିଛନ୍ତି । ମୃତା ମହିଳାଙ୍କ ମା’ ସୁଷମା ମହାନ୍ତ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏପରିକି ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ରୋଗୀଙ୍କ ଠାରୁ ୪୦ ହଜାର ଟଙ୍କା କିପରି ନିଆଗଲା ତାହା ତଦନ୍ତ କରିବାକୁ ଦାବି କରିଛନ୍ତି । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଏହି ମେଡିକାଲର ନାମ କାଟିବା ସହ ସରକାର ଏହାର ତଦନ୍ତ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି । ଏନେଇ ଏକ ମାମଲା ରୁଜୁ ହୋଇଥିବାବେଳେ ଟାଉନ ଥାନା ଅଧିକାରୀ ସୁନିଲ କର କହିଛନ୍ତି ଯେ, ଅଭିଯୋଗ ପରେ ଶବ ବ୍ୟବଚ୍ଛେଦ ଭିଡିଓ ରେକର୍ଡିଂ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking