ପୂର୍ବରୁ ସବୁ କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ଓଡିଶାକୁ ଭୂୟସୀ ପ୍ରଶଂସା କରିଛନ୍ତି
ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ବିନା ପ୍ରମାଣରେ ଏଭଳି ମିଛ ଅଭିଯୋଗ ନ ଆଣନ୍ତୁ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, : ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡିଶାରେ ଦୁର୍ନୀତି ହେଉଥିବା ନେଇ କେନ୍ଦ୍ର କ୍ରୀଡ଼ା, ଯୁବ ବ୍ୟାପାର ଏବଂ ସୂଚନା ପ୍ରସାରଣ ବିଭାଗର ମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ଅମୂଳକ ଏବଂ କପୋଳକଳ୍ପିତ ବୋଲି ବିଜେଡି ଅଭିଯୋଗ କରିଛି ।
ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ବିରୋଧରେ କହିବାକୁ ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ । ଏକଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ଭଲ ଭାବେ ଜାଣିଛନ୍ତି । କାରଣ ପୂର୍ବରୁ ସବୁ କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ଓଡିଶା ସରକାରକୁ ଭୂୟସୀ ପ୍ରଶଂସା କରି ପ୍ରମାଣପତ୍ର ଦେଇଛନ୍ତି । ଯେହେତୁ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସିଛନ୍ତି, ତାଙ୍କ ମୁହଁରେ ରାଜ୍ୟ ସରକାର ବିରୋଧରେ କିଛି କୁହାଇବା ଲାଗି ଓଡ଼ିଶା ବିଜେପି ତାଙ୍କ ଉପରେ ଚାପ ପକାଇଛି । ଆଉ ସତ କଣ ଜାଣିଥିଲେ ବି ଚାପରେ ପଡ଼ି ଶ୍ରୀ ଠାକୁର ଏଭଳି ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ କରିଛନ୍ତି ।
ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଆସି କେବଳ ଅଭିଯୋଗ କରିଦେଲେ ହେବ ନାହିଁ । କେଉଁଠି ଦୁର୍ନୀତି ହୋଉଛି ତାର ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଅଯଥାରେ ଆସି ଏଭଳି ମନଗଢ଼ା ଅଭିଯୋଗ କରନ୍ତୁ ନାହିଁ ।