ସମ୍ବଲପୁର : ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ଲମ୍ବଖେତା ନିକଟରେ ଟ୍ରଲର ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ହେଲେ ଗୁଜୁରାଟର ୨୯ ଅମ୍ବିରା ନଗର ସୁରତର ଅବଦେଶ ପ୍ରସାଦ ଶର୍ମା(୫୮) । ହେଲେ ମୃତ ଡ୍ରାଇଭର ଜଣଙ୍କ ସାଥିରେ ଥିବା ପୁଅ ଶିବା ଶର୍ମା(୯) ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲୁହା ବୋଝେଇ ଟ୍ରଲର ଗୁଜୁରାଟରୁ ୫୫ନମ୍ବର ଜାତୀୟ ରାଜପଥ ଦେଇ କଟକ ଜିଲ୍ଲା ଚୌଦ୍ୱାରକୁ ଆସୁଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଜାତୀୟ ରାଜପଥ ଚାରମାଳ ଥାନା ଲମ୍ବଖେତାଠାରେ ମୁହାଁ ମୁହିଁ ଧକ୍କା ହୋଇ ଥିଲା । ଖବର ପାଇ ଚାରମାଳ ପୋଲିସ ଓ ଡ୍ରାଇଭର ମହାସଂଘର କାର୍ଯ୍ୟକାର୍ତ୍ତା ପହଞ୍ଚି ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଆହୁରି ମଧ୍ୟ ଜଣା ଯାଇଛି ଯେ ମୃତ ଡ୍ରାଇଭର ଜଣକ ତାଙ୍କ ପତ୍ନୀଙ୍କ ସହ କୌଣସି ମନ ମାଳିନ ହେବାରୁ ପୁଅ ଶିବାକୁ ସାଥିରେ ଆଣି ଡ୍ରାଇଭର କାମ କରୁ ଥିଲେ । ଘଟଣା ଦିନ ସେ ତାଙ୍କ ପୁଅକୁ ସାଙ୍ଗରେ ଆଣି ଥିଲେ । ହେଲେ ଘଟଣାସ୍ଥଳରେ ଉଭୟ ଟ୍ରକ ଓ ଟ୍ରଲର ମୁହାଁ ମୁହିଁ ଧକ୍କା ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।