33.1 C
Bhubaneswar
Friday, April 26, 2024
Homeଓଡିଶାମିଳୁନି ଚିନାବାଦାମ ବିହନ : ଚିନ୍ତାରେ ଚାଷୀ

ମିଳୁନି ଚିନାବାଦାମ ବିହନ : ଚିନ୍ତାରେ ଚାଷୀ

କଣାସ : ଚାଷୀଙ୍କ ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ ବୋଲି ସରକାର ବାରମ୍ବାର କହୁଛନ୍ତି । ଏଥିପାଇଁ ଚାଷୀଙ୍କ ନିମନ୍ତେ କେତେ କ’ଣ ଯୋଜନା କରାଯାଉଛି । ହେଲେ ଠିକଣା ବେଳକୁ ଚାଷୀ ବିହନ, ସାର କିମ୍ବା କୀଟନାଶକ ନପାଇ ହଟହଟା ହେଉଛି । ଏବେ ଏଭଳି ସମସ୍ୟାରେ ପଡ଼ିଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ଚିନାବାଦମ ଚାଷୀ । କେବଳ ଏହି କାରଣରୁ କଣାସ ବ୍ଲକର ଗଡ଼ସାନପୁଟ, ଗଡ଼ବଡ଼ପୁଟ, ପାଣ୍ଡିଆକେରା, ଦୋକନ୍ଦା, ବଡ଼ାସ, ଗଡ଼ବଳଭଦ୍ରପୁର ଆଦି ପଞ୍ଚାୟତର ଚାଷୀ ଚିନାବାଦାମ ଚାଷରୁ ମୁହଁ ଫେରାଉଥିବା ଜଣାପଡ଼ିଛି । ଏହି ଅଞ୍ଚଳରେ ପ୍ରତିବର୍ଷ ପ୍ରାୟ ୨୫ଶହ ହେକ୍ଟର ଜମିରେ ଚିନାବାଦମ ଚାଷ ହେଉଥିଲାବେଳେ ଏବେ ଅଳ୍ପ କେଇ ହେକ୍ଟର ଜମିରେ ଚାଷ କରାଯାଉଛି । ଅନ୍ୟପକ୍ଷରେ ଚିନାବାଦାମ ଅମଳ ପରେ ଉଚିତ୍ ବଜାର ସୁବିଧା ନଥିବାରୁ ଚାଷୀମାନେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।
ଏବେ ଚିନାବାଦାମ ଚାଷ ଆରମ୍ଭର ସମୟ ହୋଇଥିବାରୁ ଚାଷୀ ଜମି ପ୍ରସ୍ତୁତ କରିସାରିଲେଣି । ହେଲେ ବିହନ ଖୋଜି ନୟାନ୍ତ ହେଉଛନ୍ତି । କିଛିବର୍ଷ ହେବ ସରକାରଙ୍କ ପକ୍ଷରୁ ଠିକ୍ ସମୟରେ ବିହନ ଯୋଗାଣ ହୋଇନପାରିବାରୁ ଚାଷୀମାନେ ବାହାରୁ ଚଢ଼ା ଦରରେ ବିହନ କିଣିବାକୁ ବାଧ୍ୟ ହେଉଛନ୍ତି । ସରକାର ବିହନ ବିକ୍ରୟ କରିବା ପାଇଁ କେତେକ ସ୍ୱୀକୃତିପ୍ରାପ୍ତ ବିକ୍ରେତା ନିଯୁକ୍ତ କରିଛନ୍ତି । ମନ୍ଦାରବସ୍ତଠାରେ ଧରଣୀସେନ ମଙ୍ଗରାଜ, କଣାସଠାରେ ପଞ୍ଚୁପଦ୍ମା ମହିଳା ସମବାୟ ସମିତି ଓ କୁଞ୍ଜେଶ୍ୱରୀ ସେବା ସମବାୟ ସମିତିକୁ ବିହନ ବିକ୍ରୟ କରିବା ପାଇଁ ସ୍ୱୀକୃତି ମିଳିଛି । ଧରଣୀସେନ ମଙ୍ଗରାଜ ଚଳିତବର୍ଷ ମାତ୍ର ୩୦କ୍ୱିଣ୍ଟାଲ ଚିନାବାଦମ ବିହନ ଆଣିଥିଲେ । ପଞ୍ଚୁପଦ୍ମା ମହିଳା ସମବାୟ ସମିତି ଓ କୁଞ୍ଜେଶ୍ୱରୀ ସେବା ସମବାୟ ସମିତ ଚଳିତ ବର୍ଷ ଚିନାବାଦମ ବିହନ ବିକ୍ରି କରିବା ପାଇଁ ଆଣିନାହାନ୍ତି । ଫଳରେ ଚାଷୀ ବିହନ ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଣାସ ବ୍ଲକ୍ କୃଷି ବିଭାଗ ପକ୍ଷରୁ ଗଡ଼ସାନପୁଟ ପଞ୍ଚାୟତରେ ୭୫ହେକ୍ଟର, ଗଡ଼ବଡ଼ପୁଟ ପଞ୍ଚାୟତରେ ୭୫ହେକ୍ଟର, ପାଣ୍ଡିଆକେରା ପଞ୍ଚାୟତରେ ୬୨ଟି ହେକ୍ଟର ଜମିରେ ବାଦମଚାଷ ପାଇଁ ଡୋମନ୍ ସେକ୍ସନ ଜରିଆରେ ଚିନାବାଦମ ବିହନ ଯୋଗାଇ ଦିଆଯାଇଥିବା କୃଷିଅଧିକାରୀ ଜେ.ନଳିନୀ କହିଛନ୍ତି । ଅନ୍ୟପକ୍ଷରେ ସରକାରୀ ସ୍ୱୀକୃତିପ୍ରାପ୍ତ ବିହନ ବିକ୍ରେତା ପଞ୍ଚୁପଦ୍ମା ମହିଳା ସମବାୟ ସମିତିର କର୍ମକର୍ତ୍ତାଙ୍କୁ ପଚାରିବାରୁ ସେ କୁହନ୍ତି ଯେ ରାଜନୈତିକ ଆକ୍ରୋଶ ରଖି କିଛି ରାଜନେତାଙ୍କ ପ୍ରରୋଚନାରେ ଚଳିତବର୍ଷ ଆମକୁ ବିଭାଗ ପକ୍ଷରୁ ବିହନ ଦିଆଯାଇନାହିଁ ।
ସେହିପରି ଅନ୍ୟ ବିହନ ବିକ୍ରେତାଙ୍କୁ ପଚାରିବାରୁ ସେମାନେ କୁହନ୍ତି ଯେ ବିହନ ନିଗମରୁ ଚିନାବାଦାମ ବିହନ କ୍ୱିଣ୍ଟାଲ ପିଛା ୮୨୩୬ଟଙ୍କା ଦରରେ କିଣିବାକୁ ପଡ଼ୁଥିବାବେଳେ ଚାଷୀମାନଙ୍କୁ ୫୨୦୦ଟଙ୍କା ସବସିଡି ଦରରେ ବିକ୍ରୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବଶିଷ୍ଟ ୩ହଜାର ୩୬ଟଙ୍କା ସବସିଡି ଅର୍ଥ ସରକାର ଆମ ଆକାଉଣ୍ଟକୁ ପଠାଇବାକୁ ନିର୍ଦ୍ଦେଶ ରହିଛି । ହେଲେ ଏହି ଅର୍ଥ କେବେ ଆସିବ ତାହାର ଠିକଣା ନାହିଁ । ୨ମାସ କିମ୍ବା ୪ମାସ ପରେ ଆସିବ ବୋଲି ଶୁଣିବାକୁ ମିଳୁଛି । ତେଣୁ ଏଭଳି ସ୍ଥିତିରେ ବିହନ ଆଣି ଯୋଗାଇବାକୁ ବିକ୍ରେତା କୁଣ୍ଠିତ ହେଉଛନ୍ତି । ମୁଖ୍ୟତଃ ପାଣ୍ଡିଆକେରା ପଞ୍ଚାୟତର ପାଣ୍ଡିଆକେରା, ବଗିପଡ଼ା, ଘରଛିଆ, ଗଡ଼ମାଟିଆପଡ଼ା, ନୂଆସାହି, ନାନେକେରା, ଗଡ଼ସାନପୁଟ ପଞ୍ଚାୟତର ବୀରକେଶରପୁର, ବାରଦା, ବାଦଲପୁର, ତିଗିରିଆ, ଗଡ଼ସାନପୁଟ ପଞ୍ଚାୟତର ଗଡ଼ସାନପୁଟ, ଛୋଟିଯୋଡ଼ି, କଣ୍ଟାବଣିଆ, ଦୋକନ୍ଦା ପଞ୍ଚାୟତର ଦୋକନ୍ଦା, ସବଳଙ୍ଗ, ବଡ଼ାସ ପଞ୍ଚାୟତର ବଡ଼ାସ, ବୈଦ୍ୟନାଥପାଟଣା, କଖାରୁବସ୍ତ, ଗଡ଼ବଳଭଦ୍ରପୁର ପଞ୍ଚାୟତର ଗଡ଼ବଳଭଦ୍ରପୁର, ଗୌଡ଼ପାଟଣା, ଅଶ୍ୱସ୍ତପାରୀ ପ୍ରଭୁତି ଗ୍ରାମର ଶହଶହ ଚାଷୀ ଚିନାବାଦାମ ବିହନ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ କୃଷି କାର୍ଯ୍ୟାଳୟ ଓ ମଞ୍ଜି ବିକ୍ରେତାଙ୍କ ପାଖକୁ ଦୌଡ଼ି ନିରାଶ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking