ବଧୂ ନିର୍ଯାତନା : ଜ୍ୱାଇଁ ,୨ ନଣନ୍ଦ ଅଟକ 

ରାଜନଗର: ବଧୂକୁ ନିର୍ଯାତନା ଦେବା ଅଭିଯୋଗରେ ଶ୍ୱଶୁର ଘର ଲୋକେ ଜ୍ୱାଇଁ ଏବଂ ୨ ନଣନ୍ଦଙ୍କୁ ଅଟକ ରଖିଛନ୍ତି । ଜ୍ୱାଇଁଙ୍କୁ ଅଟକ ରଖି ଶ୍ୱଶୁର ନ୍ୟାୟ ପାଇଁ ରାଜନଗର ଥାନାରେ ଏ ନେଇ ଶନିବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁଯାୟୀ, ରାଜନଗର ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଅଲେଖ କୁମାର ସେଠୀ ବର୍ଷକ ତଳେ ତାଙ୍କ ଝିଅ ଅମିତା ସେଠୀଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନା ତେଲେଙ୍ଗାବସନ୍ତ ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କ ପୁଅ ନିର୍ମଳ ସେଠୀଙ୍କ ସହ ବିବାହ ଦେଇଥିଲେ । ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଅଲେଖ ଯୌତୁକ ମଧ୍ୟ ଦେଇଥିଲେ । ବିବାହ ପରେ ଅମିତାଙ୍କର ସ୍ୱାମୀ ଓ ଶାଶୂଘର ଲୋକଙ୍କ ସହିତ କିଛିଦିନ ଭଲରେ କଟିଥିଲା । ପରବର୍ତ୍ତୀ ସମୟରେ ଶାଶୂଘର ଲୋକେ ଅମିତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ଖବରପାଇ ଅଲେଖ ଝିଅ ଘରେ ପହଞ୍ଚି କିଛି ଦିନ ପାଇଁ ଝିଅକୁ ଘରକୁ ନେବାକୁ କହି ଶାଶୂଘର ଲୋକଙ୍କୁ ଅନୁରୋଧ କରିଥିଲେ । ଅମିତା ବାପଘରକୁ ଆସିବା ପରେ ପୁନର୍ବାର ଶାଶୂଘର ଯାଇଥିଲେ । ସେଠାରେ ଅମିତାର ଦେହ ଖରାପ ହେବାରୁ ତାର ସ୍ୱାମୀ ନିର୍ମଳ ଚିକିତ୍ସା ଖର୍ଚ୍ଚ ପାଇଁ ଶ୍ୱଶୁରଙ୍କ ଉପରେ ଚାପ ପକାଇଥିଲେ । ଶ୍ୱଶୁର ଅଲେଖ ଝିଅର ଚିକିତ୍ସା ପାଇଁ ୨୦ହଜାର ଟଙ୍କା ଦେଇ ଆସିଥିଲେ । ତେବେ ଶନିବାର ଅପରାହ୍ନରେ ଅଲେଖର ଜ୍ୱାଇଁ ନିର୍ମଳ ଏବଂ ତାଙ୍କର ବିବାହିତ ଦୁଇ ଭଉଣୀ ମିନାରାଣୀ ଓ ଗୁନାରାଣୀ ଅମିତାଙ୍କୁ ସାଥିରେ ଆଣି ତାଙ୍କ ଘରେ ପହଞ୍ଚିଥିଲେ । ଅମିତାକୁ ଆମେ ଆଉ ରଖିବୁ ନାହିଁ । ତୁମେ ତାର କଥା ବୁଝ କହି ପାଟିତୁଣ୍ଡ କରି ଫେରିବା ସମୟରେ ଅଲେଖ ଏବଂ ତାଙ୍କ ପରିବାର ଲୋକେ ଜ୍ୱାଇଁ ନିର୍ମଳ ଓ ତାର ଦୁଇ ଭଉଣୀଙ୍କୁ ଅଟକ ରଖିଛନ୍ତି ।