ବରଗଡ଼ : ଧାନ ଥିଲେ ଟୋକନ ନାହିଁ । ଟୋକନ ଥିଲେ ଆଲର୍ଟମେଣ୍ଟ ନାହିଁ । ଏପରି ସ୍ଥିତିରେ ମାର୍କେଟ ୟାର୍ଡରେ ହଜାର ହଜାର ବସ୍ତା ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଥିବା ବେଳେ ଚାଷୀ ଆନ୍ଦୋଳନ ମୁହାଁ ହୋଇଛନ୍ତି । ଅନଲାଇନ ଟୋକନ ବ୍ୟବସ୍ଥାର ଦୋଛକିରେ ଚାଷୀ ଆଗାମୀ ଚାଷ ପାଇଁ ଚିନ୍ତା କରିବା ବଦଳରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ନିଜ କଷ୍ଟୋପାର୍ଜିତ ଧାନ ବିକ୍ରିର ବ୍ୟବସ୍ଥା କରିବାକୁ ନେହୁରା ହେବା ହିଁ ସାର ହେଉଛି । ଏପରି ସ୍ଥିତି ବରଗଡ଼ ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡରେ ପ୍ରାୟତଃ ଦେଖିବାକୁ ମିଳୁିଥିବା ବେଳେ ଶୁକ୍ରବାର ବରପାଲି ବ୍ଲକ୍ ସତଲମା ମାର୍କେଟ ୟାର୍ଡର ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଧାନ ବିକ୍ରିର ଅସଲ ଘଟଣା ସାମନାକୁ ଆସିଛି । ବରଗଡ଼ ଜିଲ୍ଲା ସତଲମା ମାର୍କେଟ ୟାର୍ଡ ଅଧିନରେ ସତଲମା ସମେତ ବାରଗୁଡା, ଭଟିଗାଁ , ଖେମେସରା ଏବଂ ତୁଲଣ୍ଡି ପଞ୍ଚାୟତ ଅଧିନରେ ନାରାୟଣ ସେବା ସମବାୟ ସମିତି ଅଧିନରେ ଧାନ ବିକ୍ରି କରିଥାନ୍ତି । ତେବେ ଉପରୋକ୍ତ ୫ ଟି ପଞ୍ଚାୟତର ୬୪୦ ଜଣ ଚାଷୀଙ୍କ ପାଖାପାଖି ୨୫ ହଜାର ବସ୍ତା ଧାନ ମାର୍କେର୍ଟ ୟାର୍ଡରେ ପଡିରହିଥିବା ବେଳେ ସେମାନେ ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରି କରି ପାରୁନାହାନ୍ତି । ଯାହାକୁ ନେଇ ଗତ ୨୫ ତାରିଖରେ ନାରାୟଣ ସେବା ସମବାୟ ସମିତି ଅଧିନରେ ଥିବା ଚାଷୀମାନେ ସିକିର୍ଡି ଛକରେ ରାସ୍ତାରୋକ କରିଥିଲେ । ସେ ସମୟରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ୩୦ ତାରିଖ ସୁଦ୍ଧା ସମସ୍ତ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ମାତ୍ର ଧାନ କିଣା ତ ଦୂରର କଥା କ୍ରୟ ସଂସ୍ଥା ର ଦର୍ଶନ ମିଳୁ ନାହିଁ । ଏ ନେଇ ଅଭିଯୋଗ କରାଯିବା ପରେ କେହି ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । ବହୁ ଚାଷୀଙ୍କୁ ଧାନ ଅମଳ ସମୟରେ ଟୋକନ ମିଳି ନ ଥିବା ଅଭିଯୋଗ ହୋଇଥିଲା । ସେହିପରି ଯେତେବେଳେ ଟୋକନ ମିଳୁଛି ସେତେବେଳେ ମିଲର୍ସକୁ ଆଲର୍ଟମେଣ୍ଟ ନ ଥିବାରୁ ଧାନ ଉଠୁ ନ ଥିବା ପରିଲକ୍ଷିତ ହେଉଛି । ଏପରି ସ୍ଥିତିରେ ଚାଷୀ ଅନଲାଇନ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ବଦଳରେ ହନ୍ତସନ୍ତ ହେବା ସାର ହେଉଛି । ଯାହାକୁ ନେଇ ଶୁକ୍ରବାର ସତଲମା ମାର୍କେଟ ୟାର୍ଡ ଅଧିନରେ ଥିବା ବହୁ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ଚାଷୀଙ୍କ ଧାନ ବିକ୍ରି ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଅପରପକ୍ଷେ ବର୍ତ୍ତମାନ ଉପରୋକ୍ତ ମାର୍କେଟ ୟାର୍ଡରେ ୧୭୦ ଜଣ ଚାଷୀଙ୍କୁ ଅନଲାଇନ ଟୋକନ ମିଳିଥିବା ବେଳେ ୩୫୦୦ କ୍ୱିଣ୍ଟାଲ ଧାନର ଆଲର୍ଟମେଣ୍ଟ ଆସିଥିବା ସୂଚନା ମିଳିଛି । ଫଳରେ ସଂପୃକ୍ତ ମାର୍କେଟ ୟାର୍ଡର ଚାଷୀମାନେ ଏବେ ଧାନ ବିକ୍ରିରେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି । ଅପରପକ୍ଷେ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଭେଟି ଆଲୋଚନା କରି ଧାନ ବିକ୍ରିର ସୁବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ରତର ହେବା ନେଇ ଚେତାବନୀ ଦେଇଛନ୍ତି ।