ନୂଆଦିଲ୍ଲୀ: ମାର୍ଚ୍ଚ ମାସରୁ ଦେଶରେ ଲାଗି ରହିଥିବା ତାତି ପ୍ରଭାବରେ ଦେଶର ତାପମାତ୍ରା ଭୀଷଣ ଭାବରେ ବଢି ଚାଲିଛି । ବର୍ତ୍ତମାନ ଜାରି ରହିଥିବା ହିଟ୍ୱେଭ୍ କାରଣରୁ ସମସ୍ତଙ୍କ ଜୀବନ ଦୁର୍ବିସହ ହୋଇ ପଡିଥିବା ବେଳେ ଚାଷବାସ ମଧ୍ୟ ପ୍ରଭାବିତ ହୋଇଛି । ଗହମ ଚାଷ ସାଙ୍ଗକୁ ଗ୍ରୀଷ୍ମ ଫସଲ ବହୁଳ ଭାବରେ କ୍ଷତିଗ୍ରସ୍ଥ ହୋଇଛି । ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ହେଉଛନ୍ତି ଭାରତରେ ପ୍ରମୁଖ ଗହମ ଉତ୍ପାଦନକାରୀ ରାଜ୍ୟ। ଏପ୍ରିଲ ମାସରେ ଉତ୍ତର ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ୧୨୨ ବର୍ଷର ରେକର୍ଡକୁ ଭାଙ୍ଗିଥିବା ତାପମାତ୍ରା ମେ ମାସରେ ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହିବ ।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ଚଳିତ ସିଜିନରେ୧୫-୨୦ ଟନ୍ ଗହମ ଉତ୍ପାଦନ ହ୍ରାସ ପାଇପାରେ । ୨୦୨୧-୨୨ ବର୍ଷରେ (ଜୁଲାଇ-ଜୁନ୍) ସୁଦ୍ଧା ଗହମ ଉତ୍ପାଦନ ପ୍ରାୟ ୯୬-୯୮ ମିଲିୟନ୍ ଟନ୍ ରହିଥିଲା ଏବଂ ରବି ଗହମ ଉତ୍ପାଦନ ରେକର୍ଡ ୧୦୯.୫୯ ମିଲିୟନ ଟନ୍ ଥିଲା । ଅସ୍ୱାଭାବିକ ଗରମ ପ୍ରଭାବରେ ସମଗ୍ର ଭାରତରେ ସୋରିଷ ଫସଲକୁ ମଧ୍ୟ ପ୍ରଭାବିତ କରିଛି, ଗହମର ଅମଳ ହ୍ରାସ କରିଛି । ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ହରଡ଼ ଏବଂ ମୁଗ ପରି ଡାଲି ଜାତୀୟ ଫସଲକୁ ନେଇ ଚାଷୀ ଚିନ୍ତାରେ ରହିଛି ।
ଭାରତରେ ପ୍ରତିବର୍ଷ ୪ ମିଲିୟନ ଟନ୍ ହରଡ଼, ୨.୫ମିଲିୟନ ଟନ୍ ଏବଂ ୨.୨ମିଲିୟନ ଟନ୍ ମୁଗ ଡାଲି ଉତ୍ପାଦନ କରାଯାଇଥାଏ । ହରଡ଼ ଅମଳ ପାଇଁ ୧୫୦ ଦିନ ସମୟ ନେଉଥିବା ବେଳେ ବିରି ଏବଂ ମୁଗ ଡାଲି ଅମଳ ପାଇଁ ଯଥାକ୍ରମେ ୧୦୦ ଏବଂ ୭୦ ଦିନ ନେଇଥାଏ । ଭାରତ ପ୍ରତିବର୍ଷ ୧.୪୫ ଏମଟି ସୋରିଷ ଉତ୍ପାଦନ କରିଥାଏ । ସୋରିଷ ଉତ୍ପାଦନ ଜନିତ କ୍ଷତି ୩ରୁ ୪ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି ।