ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ମହିଳା ଥାନା ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ସୋମବାର ୯୪୦ପୃଷ୍ଠାର ଏହି ଚାର୍ଜସିଟ୍ ଭୁବନେଶ୍ୱର ଏସ୍ଡିଜିଏମ୍ କୋର୍ଟରେ ଦାଖଲ କରାଯାଇଛି । ଏସମ୍ପର୍କରେ ମହିଳା ଥାନାଧିକାରିଣୀ ସନ୍ତୋଷିନୀ ବେହେରା ସୂଚନା ଦେଇଛନ୍ତି । ଏହି ଚାର୍ଜସିଟ୍ରେ ରମେଶଙ୍କ ଭଉଣୀ ରଶ୍ମିତା ବେଉରା, ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁ, ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ, ଲିଆସିନିଂ ଅଫିସର ବିଶ୍ୱରଞ୍ଜନ ଦାଶଙ୍କ ନାଁ ରହଛି । ଏଥିସହ ୧୦୩ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି । ତେବେ ଏହି ମାମଲାର ତଦନ୍ତ ଏବେ ବି ଚାଲୁରହିଛି । ତେଣୁ ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଅତିରିକ୍ତ ଚାର୍ଜସିଟ ଦାଖଲ କରାଯିବା ନେଇ ଶ୍ରୀମତି ବେହେରା କହିଛନ୍ତି ।
ସୂଚନା ଅନୁଯାୟୀ, ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡାକ୍ତର ବୋଲି ପରିଚୟ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ରମେଶ ଚନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ୧୮ଜଣ ମହିଳାଙ୍କୁ ବିବାହ କରିଥିବା ଘଟଣା ଗତ ଫେବୃୟାରୀ ମାସରେ ସାମ୍ନାକୁ ଆସିଥିଲା । ରମେଶ ନିଜେ ଦଶମ ପାସ କରିନଥିବାବେଳେ ଜାଲି କାଗଜପତ୍ର କରି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ମାଟ୍ରିମୋନି ସାଇଟ୍ରେ ମହିଳାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇ ବିବାହ କରୁଥିଲେ । ବିବାହ କରିବାର କିଛିଦିନ ମଧ୍ୟରେ ରମେଶ ନିଜ ପତ୍ନୀମାନଙ୍କୁ ଠକି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ କରି ନେଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଏହି ମାମଲାରେ ରମେଶଙ୍କୁ ଗିରଫ କରିଥିଲା ।
ତେବେ ରମେଶ ଗିରଫ ହେବା ପରେ ତାଙ୍କ ସହ ଏହି ଠକେଇ ରାକେଟ୍ରେ ତାଙ୍କର ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁ, ଭଉଣୀ ରଶ୍ମିତା ବେଉରା, ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓ ଲିଆସିନିଂ ଅଫିସର ବିଶ୍ୱରଞ୍ଜନ ଦାଶଙ୍କୁ ପୁଲିସ ଗିରଫ କରିଥିଲା । ରମେଶ ଗିରଫ ହେବା ପରେ ଗତ ଫେବୃୟାରୀ ୨୩ରେ ଭଉଣୀ କମଳାଙ୍କୁ ପୁଲିସ ବାନ୍ଧିଥିବାବେଳେ ଡ୍ରାଇଭର ଚିତ୍ତଙ୍କୁ ମାର୍ଚ୍ଚ ୧୮ତାରିଖରେ ଗିରଫ କରି ଜେଲ ପଠାଇଥିଲା । ସେହିପରି ଗତ ଏପ୍ରିଲ ୫ ତାରିଖରେ ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାର ଖୋଳତାଡ଼ କରିବାକୁ ଯାଇ ରମେଶଙ୍କୁ ବାରମ୍ବାର ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରିଛି । ଯଦିଓ ରମେଶ ପୁଲିସ ନିକଟେ ସବୁ କଥା ସ୍ପଷ୍ଟ ଭାବେ କହୁନଥିଲେ କିନ୍ତୁ ପୁଲିସ ଅଳ୍ପ ବହୁତ ସୂଚନାରୁ ରମେଶଙ୍କ ଠକେଇ ସାମ୍ରାଜ୍ୟକୁ ଠାବ କରିବାରେ ସଫଳ ହୋଇଥିଲା । ଜଣେ ଦଶମ ଫେଲ୍ ବ୍ୟକ୍ତି ୧୮ଜଣ ମହିଳାଙ୍କୁ ବିବାହ କରିବା ଘଟଣାକୁ ନେଇ ଗତ କିଛିମାସ ଧରି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।