22.1 C
Bhubaneswar
Thursday, January 30, 2025
Homeଅପରାଧନକଲି ସାର୍ଟିଫିକେଟ ର‌୍ୟାକେଟ ପର୍ଦ୍ଦାଫାସ୍‌; ଶିକ୍ଷକ ଦୈତାରୀଙ୍କ ସମେତ ୪ ଗିରଫ

ନକଲି ସାର୍ଟିଫିକେଟ ର‌୍ୟାକେଟ ପର୍ଦ୍ଦାଫାସ୍‌; ଶିକ୍ଷକ ଦୈତାରୀଙ୍କ ସମେତ ୪ ଗିରଫ

ବ୍ରହ୍ମପୁର: ଓଡ଼ିଶାରେ ଚାଲିଥିବା ଏକ ନକଲି ସାର୍ଟିଫିକେଟ ର‌୍ୟାକେଟର ବ୍ରହ୍ମପୁର ପୁଲିସ ପର୍ଦ୍ଦାଫାସ୍ କରିଛି । ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱରର ସରକାରୀ ଶିକ୍ଷକ ଦୈତାରୀ ବେହେରା, ତାଙ୍କର ଡାକ୍ତରୀ ପଢୁଥିବା ପୁଅ ଅମୃତ ପ୍ରସାଦ ବେହେରା, ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଗ୍ରାମର ପ୍ରଶାନ୍ତ କୁମାର ସାହୁ ଓ କଟକର କିଶୋର ବେହେରା । ଆଜି ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟଚାଲାଣ କରିଛି ।

ସେମାନଙ୍କ ଠାରୁ ପୁଲିସ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ନକଲି ସାର୍ଟିଫିକେଟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ବିଭିନ୍ନ କଲେଜ ଓ ବୋର୍ଡର ନକଲି ସାର୍ଟିଫିକେଟ ଓ ସିଲ୍‌, ବିପିୟୁଟିର ନକଲି ସାର୍ଟିଫିକେଟ ଓ ସିଲ ଜବତ କରିଛି । ଏହା ସହ କମ୍ପ୍ୟୁଟର, ପ୍ରିଣ୍ଟର, ୧୦୦ରୁ ଅଧିକ ସିଲ୍ ଜବତ ହୋଇଛି । ଦୈତାରୀଙ୍କ ଏକ ବ୍ୟାଙ୍କ୍ ଆକାଉଣ୍ଟ ପୁଲିସ ଫ୍ରିଜ୍ କରିଥିବା ବେଳେ ସେଥିରେ ୬ ଲକ୍ଷ ଥିବା ଜଣାପଡ଼ିଛି । ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଦୈତାରୀ ବେହେରା ବିଭିନ୍ନ ରାଜ୍ୟରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟରେ ଦଲାଲ ଭାବରେ କାର୍ଯ୍ୟ କରୁଥିଲେ । ପ୍ରତି ବର୍ଷ ସେ ଉକ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶହ ଶହ ବିଦ୍ୟାର୍ଥୀଙ୍କ ପାଠ ପଢ଼ା ପାଇଁ ନାମ ଲେଖାଉଥିଲେ ।

ସେହି ବିଦ୍ୟାର୍ଥୀମାନେ କ୍ଳାସ୍ କରୁନଥିବା ବେଳେ କେବଳ ପରୀକ୍ଷା ଦେବାକୁ ଯାଇଥାନ୍ତି । ଏଥିନିମନ୍ତେ ଅଭିଯୁକ୍ତ ଦୈତାରୀ ବେହେରା ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇଥାନ୍ତି । ସେଥିମଧ୍ୟରୁ ଯେଉଁ ବିଦ୍ୟାର୍ଥୀ ପରୀକ୍ଷାରେ ଫେଲ୍ ହେଉଥିଲେ, ଦୈତରୀଙ୍କ ସେମାନଙ୍କୁ ସେହି ଶିକ୍ଷାନୁଷ୍ଠାନର ନକଲି ସାର୍ଟିଫିକେଟ ଦେଉଥିଲେ । ଏହା ସହ ସେ ଦଶମ, ଯୁକ୍ତ ଦୁଇ, ବିଏଡ୍ ସହ ଅନ୍ୟାନ୍ୟ ପାଠ୍ୟକ୍ରମ ନିମନ୍ତେ ଲକ୍ଷାଧିକ ଟଙ୍କା ନେଇ ନକଲି ସାର୍ଟିଫିକେଟ ଦେଉଥିଲେ । ସେଥିପାଇଁ ଦୈତାରୀ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଅଫିସ୍ ଖୋଲିଥିଲେ । ଦୈତାରୀ ସେହି ନକଲି ସାର୍ଟିଫିକେଟ ଗୁଡ଼ିକ ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ଠାରୁ ଆଣୁଥିବା ବେଳେ କଟକର କିଶୋର ବେହେରା ନିକଟରେ ସିଲ୍ ମାରି ଏହାକୁ ଅସଲିର ରୂପ ଦେଉଥିଲେ । ଏହାପରେ ଦୈତାରୀ ବିଭିନ୍ନ ବିଦ୍ୟାର୍ଥୀଙ୍କ ନିକଟରେ ନକଲି ସାର୍ଟିଫିକେଟ ପହଞ୍ଚାଉଥିଲେ ।

ନକଲି ସାର୍ଟିଫିକେଟ ନେଇଥିବା ବ୍ୟକ୍ତିମାନେ ବିଭିନ୍ନ ସମୟରେ ଦୈତାରୀଙ୍କ ପୁଅ ଅମୃତ ପ୍ରସାଦ ବେହେରାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିବା ପୁଲିସ କହିଛି । ୨୦୧୬ରେ ବ୍ରହ୍ମପୁରର ଏକ ଘରୋଇ ସ୍କୁଲରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ବିଏଡ୍ ପଢ଼ାଇବା ପାଇଁ ଦୈତାରୀଙ୍କ ସହ ଯୋଗାଯୋଗ କରିଥିଲେ । ସେ ଆନ୍ଧ୍ରପ୍ରଦେଶ ଗୁଣ୍ଠୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ବିଏଡ୍ ପଢାଇଦେବାକୁ କହିଥିଲେ । ପର୍ଯ୍ୟାୟକ୍ରମରେ ମହିଳାଙ୍କ ସ୍ୱାମୀଙ୍କଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । କିନ୍ତୁ ୨୦୧୯ରେ ମହିଳାଙ୍କ ବିଏଡ୍ ପଢ଼ା ଶେଷ ହୋଇଥିଲେ ମଧ୍ୟ ଦୈତାରୀ ତାଙ୍କୁ ବିଏଡ୍ ପ୍ରମାଣପତ୍ର ଦେଇନଥିଲେ । ଏ ନେଇ ମହିଳାଙ୍କ ସ୍ୱାମୀ ବାରମ୍ବାର ଦୈତାରୀଙ୍କୁ ପ୍ରମାଣପତ୍ର ମାଗିବାରୁ ଦୈତାରୀ ୪ଟି ସେମିଷ୍ଟାର ସହ ବିଏଡ୍ ଫାଇନାଲର ପ୍ରୋଭିଜିନାଲ ପ୍ରମାଣପତ୍ର ଦେଇଥିଲେ । ଏହି ପ୍ରମାଣପତ୍ରକୁ ନେଇ ମହିଳାଙ୍କ ସ୍ୱାମୀଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ସମସ୍ତ ପ୍ରମାଣପତ୍ର ଧରି ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ସେଠାରେ ସେ ଉକ୍ତ ପ୍ରମାଣପତ୍ର ଯାଞ୍ଚ ପରେ ସେଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା । ଏନେଇ ମହିଳାଙ୍କ ସ୍ୱାମୀ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking