33.1 C
Bhubaneswar
Monday, May 13, 2024
Homeଅପରାଧପୂର୍ବତନ ୱାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା

ପୂର୍ବତନ ୱାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ପୂର୍ବତନ ୱାର୍ଡ ମେମ୍ବର ଓ ତାଙ୍କ ପତ୍ନୀଙ୍କୁ ଶୁକ୍ରବାର ରାତିରେ ହତ୍ୟା କରାଯାଇଛି। ମୃତକମାନେ ହେଲେ ଲୁଇସିଂ ପଞ୍ଚାୟତ ଗୁମାନଦଣି ଗ୍ରାମର ପୂର୍ବତନ ୱାର୍ଡମେମ୍ବର ଡାହିରା କହଁର ଓ ତାଙ୍କ ସ୍ତ୍ରୀ ବତାସୀ କହଁର । ସେମାନଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିବା ଫଳରେ ମୃତ୍ୟୁ ହୋଇଛି । ମୃତଦେହ ନିକଟରୁ ଏକ ହାତୁଡି ମିଳି ଥିବାରୁ ସେଥିରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ଉଭୟ ସ୍ୱାମୀ ସ୍ତ୍ରୀ ସଲାଗୁଡା ପଞ୍ଚାୟତର କାଲିବିହେରୀଗାଟା ଗ୍ରାମରେ ରହୁଥିଲେ । ଗୁରୁବାର ଡାହିରା ନିଜ ଗ୍ରାମକୁ ଆସି ମନ୍ଦିରରେ ଦିନସାରା ପୂଜାବିଧି କରି ସନ୍ଧ୍ୟାରେ ଫେରି ଯାଇଥିଲେ । ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ କିଛି ଲୋକ ତାଙ୍କ ପୁଅ ଅଙ୍ଗଦଙ୍କୁ ଫୋନ କରି ସଲାଗୁଡା ପଞ୍ଚାୟତ ଗାଡିପଦର ନିକଟସ୍ଥ କାସେରୁ ଜଙ୍ଗଲ ଭିତରେ ଉଭୟଙ୍କ ଶବ ପଡିଥିବା ନେଇ ସୂଚନା ଦେଇଥିଲେ । ଏହାପରେ ଅଙ୍ଗଦ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କୁ ଖବର ଦେଇଥିଲେ । ସରପଞ୍ଚ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ । ତେବେ ଅତ୍ୟନ୍ତ ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇ ଥିବାରୁ ପୁଲିସ ସେଠାକୁ ଯାଇପାରି ନଥିଲା ।

ଶନିବାର ସକାଳେ ଗ୍ରାମବାସୀ ଦୁଇଟି ଖଟିଆରେ ସେମାନଙ୍କ ମୃତଦେହକୁ ବୋହି ବାଘ ନଦୀ ପାର ହୋଇ ପ୍ରାୟ ୫ କିମି ଦୂର ବଦାପାଜୁ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ସ୍ଥାନୀୟ ପୁଲିସ, ଏସଓଜି ଏବଂ ଡିଭିଏଫ ବାହିନୀର ସହାୟତାରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗୋଚ୍ଛାପଡା ଥାନାକୁ ଅଣାଯାଇଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ଡାହିରା ୨୦୧୨ରେ ୱାର୍ଡ ମେମ୍ବର ଥିବା ବେଳେ ତାଙ୍କ ସ୍ତ୍ରୀ ବତାସୀ ମଧ୍ୟ ୨୦୧୭ରେ ୱାର୍ଡ ମେମ୍ବର ରହିଥିଲେ । ତେବେ ସେମାନଙ୍କୁ କିଏ କାହିଁକି ହତ୍ୟା କରିଛି ସେ ସମ୍ପର୍କରେ କିଛି ଜଣାପଡିନାହିଁ । ଏହା ମାଓବାଦୀଙ୍କ କାଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ ଘଟଣା ସ୍ଥଳରେ କୌଣସି ମାଓ ପୋଷ୍ଟର କିମ୍ବା ଲିଫଲେଟ ମିଳିନାହିଁ । ଅପରପକ୍ଷରେ ଏହା ବ୍ୟକ୍ତିଗତ ଗଣ୍ଡଗୋଳ କାରଣରୁ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking