28.3 C
Bhubaneswar
Thursday, July 30, 2026
Homeଓଡିଶାପ୍ରତିଟି ମାନବ ଜୀବନ ଆମ ପାଇଁ ମୂଲ୍ୟବାନ, ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ସମର୍ପିତ ରାଜ୍ୟସରକାର...

ପ୍ରତିଟି ମାନବ ଜୀବନ ଆମ ପାଇଁ ମୂଲ୍ୟବାନ, ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ସମର୍ପିତ ରାଜ୍ୟସରକାର – ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ନିରନ୍ତର ଉଦ୍ୟମରତ ଅଛନ୍ତି ରାଜ୍ୟସରକାର l ଆଜି ଲୋକସେବା ଭବନଠାରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିକୁ ନେଇ ମାରାଥନ୍ ବୈଠକରେ ବିସ୍ତୃତ ସମୀକ୍ଷା କରିବା ସହ ସୁବ୍ୟବସ୍ଥିତ ବନ୍ୟା ପରିଚାଳନା ନିମନ୍ତେ SRC ଏବଂ ଜିଲ୍ଲା ପ୍ରଶାସନର ନିରନ୍ତର ସମନ୍ଵିତ ପ୍ରୟାସର ପ୍ରଶଂସା କରିବା ସହିତ ବନ୍ୟା ଜଳ ଶୁଖିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ସମାନ ଦାୟିତ୍ଵ ଏବଂ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି l

ସୂଚନାଯୋଗ୍ୟ ଯେ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ବନ୍ୟା ଦ୍ଵାରା ବିଶେଷ ପ୍ରଭାବିତ ହୋଇଥିବା ବେଳେ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ମଧ୍ଯ ଅନେକାଂଶରେ ପ୍ରଭାବିତ ହୋଇ ହୋଇଛି l ପ୍ରାୟ ୧୦୦ଟି ବ୍ଲକର ୫୩୯ଟି ଗ୍ରାମ ପଞ୍ଚାୟତରେ ୧୪୫୮ ଗାଆଁର ୭,୦୫,୨୩୨ ଜଣ ଲୋକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି l SRCଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ODRAF, NDRF ଏବଂ ଅଗ୍ନିଶମ ବାହିନୀ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ତଥା ଜିଲ୍ଲାପ୍ରଶାସନର ସମ୍ମିଳିତ ପ୍ରୟାସ ମାଧ୍ୟମରେ ପ୍ରାୟ ୧,୮୯,୫୯୭ଜଣ ବ୍ୟକ୍ତିଙ୍କୁ ରିଲିଫ୍ କେନ୍ଦ୍ର ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି l ପ୍ରାୟ ୧୩୫୩ଟି ଘର ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪,୮୯୬ ହେକ୍ଟର ଚାଷଜମି ମଧ୍ଯ କ୍ଷତିଗ୍ରସ୍ତ ହୋଇଛି l

ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଗାମୀ ତିନିଦିନ ଅର୍ଥାତ୍ ୭୨ ଘଣ୍ଟା ମଧ୍ୟରେ ବନ୍ୟା ଜଳ ନିଷ୍କାସିତ ହୋଇ ଶୁଖିବା ପରେ ପରେ ତୁରନ୍ତ ଜିଲ୍ଲାସ୍ତରରେ ବନ୍ଯାଜନିତ କ୍ଷୟକ୍ଷତି ଆକଳନ କରି ବିଭାଗକୁ ରିପୋର୍ଟ୍ ପ୍ରଦାନ କରାଯିବ ଏବଂ SRCଙ୍କ ତତ୍ତ୍ଵାବଧାନରେ ନିୟମାବଳୀ ଅନୁଯାୟୀ ଯଥାଶୀଘ୍ର ଜନସାଧାରଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ l ଚାଷଜମି କ୍ଷତିପୂରଣ ନେଇ କୃଷି ବିଭାଗ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରାଯିବ l

ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ୫୨୦ଟି ରିଲିଫ୍ କେନ୍ଦ୍ରରେ ପ୍ରାୟ ୧,୮୨,୦୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ମଧ୍ଯ ଯୋଗାଇ ଦିଆଯାଉଛି l ସମସ୍ତ ରିଲିଫ୍ କେନ୍ଦ୍ରରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଥିବା ବେଳେ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତିବିଶେଷଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି l ଶିଶୁଖାଦ୍ୟର ବ୍ୟବସ୍ଥା ସହ ମହିଳା ପୋଲିସ୍ ମଧ୍ଯ ନିୟୋଜିତ ହୋଇଛନ୍ତି l ଗୋଖାଦ୍ୟ ମଧ୍ଯ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଯାଇଛି l

ଇତିମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ବେଳେ ଉପରମୁଣ୍ଡରେ ବର୍ଷା ମଧ୍ଯ କମିଯାଇଛି l ତେବେ, ମହାନଦୀରେ ନରାଜଠାରେ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ବନ୍ୟା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି l ହୀରାକୁଦ ଡ୍ୟାମର ଦୁଇଟି ଗେଟ୍ ଏପର୍ଯ୍ୟନ୍ତ ଖୋଲା ଯାଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି l ଏହି ପରିପ୍ରେକ୍ଷୀରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲା ଉପରେ ତୀକ୍ଷଣ ନଜର ରଖାଯିବା ସହ ଆବଶ୍ୟକ ପ୍ରସ୍ତୁତି କରାଯାଇଛି l

୨୪ଟି ODRAF, ୬ଟି NDRF ଏବଂ ୪୬ଟି ଅଗ୍ନିଶମ ସେବା ବାହିନୀ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରତିକୂଳ ପରିସ୍ଥିତିରେ ମଧ୍ଯ ଉଦ୍ଧାର କାର୍ଯ୍ୟ କରାଯାଇଛି l ରିଲିଫ୍ କେନ୍ଦ୍ରକୁ ଲୋକେ ସ୍ଥାନାନ୍ତରିତ ହୋଇଥିଲା ବେଳେ ଗାଆଁରେ ସଭିଙ୍କ ଘର, ଧନସମ୍ପତ୍ତିର ସୁରକ୍ଷା ନିମନ୍ତେ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି l ବିଭିନ୍ନ ନଦୀବନ୍ଧ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ନିୟମିତ ପୋଲିସ୍ ପାଟ୍ରୋଲିଂ ମଧ୍ଯ କରାଯାଉଛି l

ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଆଦି ଜିଲ୍ଲାରେ ବୃଷ୍ଟିପାତ ହୋଇଥିବା ବେଳେ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହି ପରିସ୍ଥିତିର ସୁବ୍ୟବସ୍ଥିତ ପରିଚାଳନା କରିଛନ୍ତି l ଆଜି ସକାଳେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସୁବିସ୍ତୃତ ବୈଠକ କରିବା ସହ ବନ୍ୟା ପରିସ୍ଥିତି ପରିଚାଳନା ନିମନ୍ତେ ଆବଶ୍ୟକ ପରାମର୍ଶ ଦେଇଛନ୍ତି l କ୍ଷେତ୍ରସ୍ତରରେ ନିଜେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ବୈଠକ ପରେ ହେଲିକପ୍ଟର ଯୋଗେ ମାନ୍ୟବର ମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବିଶଦ ସମୀକ୍ଷା ମଧ୍ଯ କରିଛନ୍ତି l

ମାନ୍ୟବର ମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ସ୍ପେଶାଲ୍ ରିଲିଫ୍ କମିଶନର୍ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଦିନତମାମ ବୈଠକ ସହିତ ବନ୍ୟା ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ନିରନ୍ତର ଉଦ୍ୟମରତ ଅଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking