ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟଗୁଡ଼ିକରେ ୩୨୫ ପିଜିଟି ଶିକ୍ଷକ ଯୋଗ ଦେଇଛନ୍ତି । ୨୧ଟି ବିଷୟରେ ସେମାନେ ଶିକ୍ଷାଦାନ କରିବେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ବିଶେଷ ଭାବରେ ନିଯୁକ୍ତ ଶିକ୍ଷକମାନଙ୍କର ଏହା ହେଉଛି ପ୍ରଥମ ବ୍ୟାଚ୍ ।
ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ପର୍ବକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କ ସମ୍ଭାବନା ଏବଂ ଆବେଗକୁ ବୁଝିବା ଦରକାର । ଯଦି ଛାତ୍ରଛାତ୍ରୀ ନିଜ ସ୍ୱପ୍ନକୁ ଅନୁସରଣ କରିବାକୁ ଉତ୍ସାହିତ ହୁଅନ୍ତି, ତାହାହେଲେ ସେମାନଙ୍କ ସଫଳତାର ମାର୍ଗରେ ପ୍ରତିବନ୍ଧକ ଆସିବନି । ୫-ଟି ଅଧୀନରେ ୬୮୦୦ରୁ ଅଧିକ ବିଦ୍ୟାଳୟ ରୂପାନ୍ତରିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ୧୧୦ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ କରିଛନ୍ତି । ଏହି ବିଦ୍ୟାଳୟଗୁଡ଼ିକ ପାଇଁ ୯୦୦ରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ ପଦ ମଞ୍ଜୁର ହୋଇଛି । ନବନିଯୁକ୍ତ ଶିକ୍ଷକମାନେ ରାଜ୍ୟ ପାଇଁ ସେମାନଙ୍କର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୩ର ଟପ୍ପରଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଟପ୍ପର ଛାତ୍ରଛାତ୍ରୀ ରାଜ୍ୟର ଜୁଏଲ । ଭବିଷ୍ୟତରେ ସେମାନେ ଏହା ଜାରି ରଖିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ବିଭିନ୍ନ ଷ୍ଟ୍ରିମ୍ର ୧୭ ଟପ୍ପର ଏଠାରେ ସମ୍ବର୍ଦ୍ଧିତ ହୋଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାରେ ତାଙ୍କ ବିଭାଗର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଖୁବ୍ଶୀଘ୍ର ଅଧିକ ପଦ ପୂରଣ କରାଯିବ । ଟପ୍ପର ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରି କଠିନ ପରିଶ୍ରମ କରିବାକୁ କହିଥିଲେ । ଦୁଇ ଶିକ୍ଷକ ପ୍ରିୟଙ୍କା ପତି ଏବଂ ଶିବ ପ୍ରସାଦ ମିଶ୍ର ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ମୁଖ୍ୟ ସଚିବ ପିକେ ଜେନା ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ବିଷୟରେ କହିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍. ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।