ଭୁବନେଶ୍ୱର: ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ୩ ଟି ହାତୀଙ୍କୁ ରେଡିଓ କଲରିଂ କରାଯିବ। ଏହି ପ୍ରକ୍ରିୟା ଦ୍ୱାରା ସାଟେଲାଇଟ୍ ମାଧ୍ୟମରେ ହାତୀମାନଙ୍କର ତଥ୍ୟ ମିଳିବ ଓ ଏହାକୁ ଅନୁଧ୍ୟାନ କରି ହାତୀଙ୍କ ଉପରେ ନଜର ରଖାଯିବ ବୋଲି ଯୋଜନା ହୋଇଛି। ଘଟଣା ସମ୍ପର୍କରେ ପିସିସିଏଫ୍ (ବନ୍ୟପ୍ରାଣୀ) ଏସ୍କେ ପୋପଲି କହିଛନ୍ତି ଯେ ଦନ୍ତା ହାତୀଙ୍କର ରେଡିଓ କଲରିଂ କରାଯିବ। ସାଧାରଣତଃ ହାତୀ ପଲଗୁଡ଼ିକୁ ମା’ ହାତୀମାନେ ନେତୃତ୍ୱ ନେଇଥାନ୍ତି। ହେଲେ ଦନ୍ତାମାନେ ଏକୁଟିଆ ବୁଲିବା ସହ ସେମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତି। ତେବେ ରେଡିଓ କଲରିଂ ସହାୟତାରେ ସେମାନଙ୍କର ସମ୍ପୂର୍ଣ୍ଣ ଗତିବିଧି ଉପରେ ନଜର ରଖାଯିବ। ରେଡିଓ କଲରିଂ କରିବା ପରେ ସାଟେଲାଇଟ୍ ମାଧ୍ୟମରେ ହାତୀମାନଙ୍କର ତଥ୍ୟ ସଂଗ୍ରହ କରାଯିବ।
ପ୍ରଥମ ପର୍ଯ୍ୟାୟରେ ଚନ୍ଦକା ସମେତ ଦୁଇଟି ଜଙ୍ଗଲରୁ ୩ ଟି ହାତୀଙ୍କୁ ଚିହ୍ନଟ କରାଯାଇ ଏହି ରେଡିଓ କଲରିଂ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ପିସିସିଏଫ୍ କହିଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ହାତୀମାନଙ୍କର ତଥ୍ୟ ସାଟେଲାଇଟ୍ ଜରିଆରେ ହସ୍ତଗତ ହେବ। ଏହି ତଥ୍ୟ ଆଧାରରେ ହାତୀଟି କେଉଁ ଆଡ଼େ ଯାଉଛି ତାହା ସୂଚନା ପାଇବା ପରେ ବନ ବିଭାଗର କ୍ଷେତ୍ରୀୟ କର୍ମଚାରୀଙ୍କୁ ଅବଗତ କରିବ। ଯାହାଦ୍ୱାରା ହାତୀ ମଣିଷ ଲଢ଼େଇ ହ୍ରାସ ପାଇବ ବୋଲି ଲକ୍ଷ୍ୟ ରହିଛି। ହାତୀ ମଣିଷ ସଂଘର୍ଷରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀଙ୍କ ପ୍ରାଣ ଯାଉଛି। ଅନେକ ସମୟରେ ହାତୀ ଶିକାରୀଙ୍କର ଦ୍ୱାରା ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଙ୍କ ଜୀବନ ଯାଉଛି। ଏପରି ଦୁର୍ଘଟଣା ପ୍ରାୟତଃ ରାତିରେ ଘଟୁଥିବାରୁ, ହାତୀର ପ୍ରକୃତ ଲୋକେସନ ଚିହ୍ନଟ କରିବାକୁ ତଥା ରିୟଲ ଟାଇମ୍ ଜାଣିବାକୁ ସମସ୍ୟା ହେଉଛି। ଏହି ନୂଆ ପ୍ରୟାସ ରାତିର ଅନ୍ଧକାରରେ ହାତୀ ଉପରେ କଡ଼ା ନଜର ରଖିବା ସହିତ ୨୪ ଘଣ୍ଟିଆ ରିୟଲ ଟାଇମ୍ ଆଲର୍ଟ ଦେଇପାରିବ ବୋଲି ଲକ୍ଷ୍ୟ ରହିଛି।