28.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶନିର୍ବାଚନୀ ବଣ୍ଡ୍‌ର ତଥ୍ୟ ଦାଖଲ କଲା ଏସ୍‌ବିଆଇ

ନିର୍ବାଚନୀ ବଣ୍ଡ୍‌ର ତଥ୍ୟ ଦାଖଲ କଲା ଏସ୍‌ବିଆଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଆଜି ଅପରାହ୍‌ଣ ୫ଟା ବେଳେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ନିର୍ବାଚନ କମିସନଙ୍କ ନିକଟରେ ନିର୍ବାଚନୀ ବଣ୍ଡ୍‌ର ତଥ୍ୟ ଦାଖଲ କରିଛି। ଆଜି ସନ୍ଧ୍ୟା ୭ଟା ୧୭ ମିନିଟ୍‌ରେ ନିର୍ବାଚନ କମିସନଙ୍କ ମୁଖପାତ୍ର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ଫେବ୍ରୁଆରି ୧୫ ଓ ମାର୍ଚ୍ଚ ୧୧, ୨୦୨୪ର ନିର୍ଦ୍ଦେଶାନୁସାରେ ଆଜି ଏସ୍‌ବିଆଇ ନିର୍ବାଚନୀ ବଣ୍ଡ୍‌ ସମ୍ପର୍କିତ ତଥ୍ୟ ଇସିଆଇ ନିକଟରେ ଦାଖଲ କରିଛି। ସୂଚନାଯୋଗ୍ୟ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ପାଣ୍ଠିଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ କରିବା ନିମନ୍ତେ ୨୦୧୮ରେ ନିର୍ବାଚନୀ ବଣ୍ଡ୍‌ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୨୦୧୭-୧୮ ରୁ ୨୦୨୨-୨୩ ମଧ୍ୟରେ ଏସ୍‌ବିଆଇ ୩୦ଟି ପର୍ଯ୍ୟାୟରେ ୧୬,୫୧୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ଜାରି କରିଥିଲା। ଗତକାଲି, ବଣ୍ଡ୍‌ ସମ୍ପର୍କିତ ତଥ୍ୟ ଦାଖଲ କରିବା ନିମନ୍ତେ ଜୁନ୍‌ ୩୦ ଯାଏଁ ସମୟସୀମା ବୃଦ୍ଧି କରିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ମଙ୍ଗଳବାର ସୁଦ୍ଧା ତଥ୍ୟ ଇସିଆଇ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ନକଲେ କୋର୍ଟ ଅବମାନନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ତାଗିଦ୍‌ କରିଥିଲେ। ଏହା ସହ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ତଥ୍ୟକୁ ସର୍ବସାଧାରଣଙ୍କ ନିମନ୍ତେ ୱେବ୍‌ସାଇଟରେ ପ୍ରକାଶ କରିବାକୁ ଇସିଆଇକୁ ନି‌ର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking