31.1 C
Bhubaneswar
Sunday, June 15, 2025
Homeଓଡିଶାନିର୍ବାଚନୀ ପ୍ରସ୍ତୁତି; ଇଭିଏମ୍‌, ଭିଭିପ୍ୟାଟ୍ ଉପରେ ଯୁବ ଓଏଏସ୍‌ଙ୍କୁ ତାଲିମ୍‌

ନିର୍ବାଚନୀ ପ୍ରସ୍ତୁତି; ଇଭିଏମ୍‌, ଭିଭିପ୍ୟାଟ୍ ଉପରେ ଯୁବ ଓଏଏସ୍‌ଙ୍କୁ ତାଲିମ୍‌

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆଗୁଆ ହେବ କି ନାହିଁ ତାହା ଭିନ୍ନ କଥା, ହେଲେ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ପ୍ରାରମ୍ଭିକ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେଥିପାଇଁ ନିର୍ବାଚନ ପରିଚଳନା ଦାୟିତ୍ୱରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯୁବ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଇଭିଏମ୍ ଓ ଭିଭିପ୍ୟାଟ୍ ବ୍ୟବହାର ଉପରେ ତାଲିମ୍ ଦେବାର ବ୍ୟବସ୍ଥା କରିଛନ୍ତି। ୨୦୧୯ ବ୍ୟାଚ୍‌ର ୩୧ଅଧିକାରୀ ଏହି ତାଲିମ ନେଇଛନ୍ତି । ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍‌ମିନିଷ୍ଟ୍ରେସନ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ତାଲିମ କାର୍ଯ୍ୟକ୍ରମ ହୋଇଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚନ ସଂପର୍କରେ ଯୁବ ଓଏଏସ୍ ଅଧିକାରୀଙ୍କୁ ବିସ୍ତୃତ ଭାବେ ଅବଗତ କରିଛନ୍ତି । ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ହୋଇ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ କାର୍ଯ୍ୟଗୁଡ଼ିକ ପରିଚାଳନା କରିବେ । ଏ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଦୁଇଦିନ ଧରିଚାଲିବ । ଏଥିରୁ ସବିଶେଷ ଜ୍ଞାନ ଆହରଣ କରି ଯୁବ ଅଧିକାରୀ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିପାରିବେ ।

ପ୍ରଥମ ଦିନରେ ଯୁବ ଓଏଏସ୍ ଅଧିକାରୀଙ୍କୁ ପ୍ରାଥମିକ ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ଭୋଟ୍ ପଞ୍ଜୀକରଣ ଅଧିକାରୀ, ଆସିଷ୍ଟାଣ୍ଟ ଭୋଟ୍ ପଞ୍ଜୀକରଣ ଅଧିକାରୀ ଓ ବୁଥ୍ ଲେବୁଲ୍ ଅଧିକାରୀଙ୍କ କାର୍ଯ୍ୟ ଏବଂ ଭୋଟର୍ ତାଲିକାର ରୂପରେଖ ସଂପର୍କରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ତାଲିମ ପ୍ରଦାନ କରିଥିବାବେଳେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ନିର୍ବାଚନର ଆଦର୍ଶ ଆଚରଣ ବିଧି, ଅବାଧ, ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପରିଚାଳନା ଏବଂ ନିର୍ବାଚନବେଳେ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରିଛନ୍ତି । ସେହିପରି ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ନିର୍ବାଚନବେଳେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଭୋଟରମାନଙ୍କୁ ନିର୍ବାଚନର ବିଭିନ୍ନ କାର୍ଯ୍ୟ ସଂପର୍କରେ ସଚେତନ କରାଇବା(ଏସ୍‌ଭିଇଇପି) ସୁଇପ୍ କାର୍ଯ୍ୟକ୍ରମ ସଂପର୍କରେ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଓଏସ୍‌ଡି ଭବାନୀ ପ୍ରସାଦ ରାୟ ଇଭିଏମ୍ ଓ ଭିଭିପ୍ୟାଟ୍ ମାଧ୍ୟମରେ କିପରି ଭୋଟ୍‌ଗ୍ରହଣ କରାଯାଉଛି ସେ ସମ୍ପର୍କରେ ବିସ୍ତୃତ ତାଲିମ ଦେଇଛନ୍ତି । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତି, ନିର୍ବାଚନ ପରିଚାଳନା ନିମନ୍ତେ କର୍ମଚାରୀଙ୍କ ତାଲିମ, ଭୋଟ୍ ଗ୍ରହଣ କେନ୍ଦ୍ର, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଯାନ ଓ ଭୋଟ୍‌ଗ୍ରହଣ ନିମନ୍ତେ ଆବଶ୍ୟକ ନିର୍ବାଚନ ସାମଗ୍ରୀଗୁଡ଼ିକ ସଂପର୍କରେ ତାଲିମ୍ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା ଓ ଅତିରିକ୍ତ କମିଶନର ତଥା ପାଠ୍ୟ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ପଣ୍ଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking