26.1 C
Bhubaneswar
Tuesday, October 3, 2023
Homeଓଡିଶାଜଳିଗଲା ଲୁଗାଦୋକାନ ଓ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌; ୭୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପାଉଁଶ

ଜଳିଗଲା ଲୁଗାଦୋକାନ ଓ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌; ୭୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପାଉଁଶ

ଆଳି : ଆଳି ବଡ଼ବଜାରରେ ଥିବା ଏକ ଲୁଗାଦୋକାନ ଓ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଲିଭିଥିଲା । ମିଳିଥିବା ସୂଚନା ମୁତାବକ, କଟକ-ଚାନ୍ଦବାଲି ରାସ୍ତାର ଆଳି ପୋଷ୍ଟଅଫିସ ନିକଟରେ ଥିବା ଏକ ବିଲ୍‌ଡିଂରେ ଗିରିବନ୍ଧ ଗ୍ରାମର ରଞ୍ଜିିତ ବେହେରା ଲୁଗାଦୋକାନ କରିଥିବା ବେଳେ ଚିନ୍ମୟ ରାଉତ ଇଲେକ୍ଟ୍ରୋନିକ୍ସ ଏବଂ ଫର୍ଣ୍ଣିଚର୍ସ ଦୋକାନ କରିଛନ୍ତି।

ଏଠାରେ ଥିବା ନିୟୁ ଟ୍ରେଣ୍ଡ ଲୁଗା ଦୋକାନ ମାଲିକ କଲିକତାକୁ ଦୋକାନ ମାଲ୍ ଆଣିବାକୁ ଯାଇଥିବା ବେଳେ ମଙ୍ଗଳବାର ରାତିରେ କର୍ମଚାରୀ ବ୍ୟବସାୟ ସାରି ଦୋକାନ ବନ୍ଦ କରିଥିଲେ । କିନ୍ତୁ ବୁଧବାର ସକାଳ ପ୍ରାୟ ୫.୪୦ ସମୟରେ ନିୟୁ ଟ୍ରେଣ୍ଡ ଦୋକାନ ତଳେ ଥିବା ରିଲାଏନ୍ସ ମାର୍ଟର କର୍ମଚାରୀମାନେ ମଲ ଖୋଲିବାକୁ ଆସିଥିବା ବେଳେ ଉପର ଦୋକାନରୁ ନିଆଁ ବାହାରୁଥିବା ଦେଖି ଲୁଗା ଦୋକାନ ମାଲିକଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ ।

ତୁରନ୍ତ ସେମାନେ ବିଦ୍ୟୁତ କର୍ମଚାରୀ ଓ ତାରିଣୀ ଇଲେକ୍ଟ୍ରୋନିକ୍ସର ମାଲିକ ଚିନ୍ମୟ ରାଉତଙ୍କୁ ଫୋନ୍ କରି ଦୋକାନରୁ ଧୂଆଁ ବାହାରୁଥିବା ନେଇ ସୂଚନା ଦେଇଥିଲେ । ଆଳି ଦମକଳ ବିଭାଗକୁ ଖବର ଦିଆଯିବା ପରେ ଦମକଳ ସହ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଅଧିକ ଥିବାରୁ ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ସହଯୋଗରେ ନିଆଁ ଲିଭାଇବା ଉଦ୍ୟମ ହୋଇଥିଲା । ଅଗ୍ନିଶମ କର୍ମଚାରୀ ଏହି ବିଲ୍‌ଡିଂର ଗୋଟିଏ ପାର୍ଶ୍ୱ କାନ୍ଥ ଭାଙ୍ଗି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ପାଖାପାଖି ୨୦ଜଣ ଅଗ୍ନିଶମ କର୍ମଚାରୀ ଏହି ନିଆଁକୁ ଲିଭାଇବା ନିମନ୍ତେ ଜୀବନକୁ ବାଜି ଲଗାଇ ଦେଇଥିଲେ ।

ଦୋକାନ ଭିତରେ ଯେହେତୁ ଲୁଗା, ଡ୍ରେସ୍‌, ପ୍ୟାଣ୍ଟ-ସାର୍ଟ ଭଳି ଅନେକ ସମଗ୍ରୀ ଥିଲା; ତେଣୁ ନିଆଁ ଧିରେ ଧିରେ କୁହୁଳିବାରେ ଲାଗିଥିଲା । ନିଆଁ ଲୁଗାଦୋକାନ ପଛରେ ଥିବା ଇଲେକ୍‌ଟ୍ରୋନିକ୍ସ ଷ୍ଟୋର ରୁମ୍‌ରେ ଲାଗି ଯାଇଥିଲା । ଷ୍ଟୋର୍‌ରେ ଥିବା ୩୦ ଟିଭି ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳି ଯାଇଛି । ଅଗ୍ନିକାଣ୍ଡରେ ରଞ୍ଜିିତ ବେହେରାଙ୍କ ଦୋକାନର ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସମ୍ପତ୍ତି ଜଳି ଯାଇଥିବା ବେଳେ ଇଲେକ୍ଟ୍ରୋନିକ୍ସ ଦୋକାନର ଷ୍ଟୋର ରୁମ୍‌ରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଥିବା ନେଇ ମାଲିକ ଚିନ୍ମୟ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡ କିପରି ଘଟିଲା ତାହା ଅସ୍ପଷ୍ଟରହିଛି । ଏହି କାଣ୍ଡ କେହି ଦୁର୍ବୃତ୍ତ ଘଟାଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବିହୋଇଛି । ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ଦିଲ୍ଲୀପ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking