ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ସହରରେ ପାରଦ ବଢ଼ିଚାଲିଛି । ରାଜ୍ୟରେ ୮ଟି ସହରର ତାପମାତ୍ରା ଆଜି ୪୦ଡିଗ୍ରୀ ପାର୍ କରିଥିବା ବେଳେ ଟିଟିଲାଗଡ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡର ତାପମାତ୍ରା ସର୍ବାଧିକ ୪୩.୪ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୪୦ଡିଗ୍ରୀ ପାର କରିଥିବା ୮ଟି ସହରଗୁଡିକ ମଧ୍ୟରେ ବଲାଙ୍ଗିରର ତାପମାତ୍ରା ୪୨.୪ଡିଗ୍ରୀ ରହିଥିବା ବେଳେ ବୌଦ୍ଧ ୪୧ଡିଗ୍ରୀ, ଝାରସୁଗୁଡା, ଭବାନୀପାଟଣାର ତାପମାତ୍ରା ୪୦.୫ଡିଗ୍ରୀ, ତାଳଚେର ୪୦.୨ଡିଗ୍ରୀ, ସୁବର୍ଣ୍ଣପୁର ୪୦.୪ଡିଗ୍ରୀ, ସୁନ୍ଦରଗଡର ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରର ତାପମାତ୍ରା ୩୯.୯ଡିଗ୍ରୀ ରହିଥିବା ବେଳେ ଫୁଲବାଣୀ ୩୯.୨ଡିଗ୍ରୀ, ମାଲକାନଗିରି ୩୯.୫ଡିଗ୍ରୀ, ଭୁବନେଶ୍ୱର ୩୪.୫ଡିଗ୍ରୀ ଏବଂ କଟକର ତାପମାତ୍ରା ୩୩.୬ଡିଗ୍ରୀ ରେକର୍ଡ କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ.ଏଚ୍ଆର୍ ବିଶ୍ୱାସ କହିଛନ୍ତି ଯେ, ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆଗକୁ କିଛି ଜିଲ୍ଲାର ତାପମାତ୍ରା ମଧ୍ୟ ବୃଦ୍ଧି ପାଇ ୪୦ଡିଗ୍ରୀରୁ ଅଧିକ ହୋଇପାରେ । ତେବେ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କିଛି ଜିଲ୍ଲାରେ ଅଦିନିଆ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୩ତାରିଖ ସକାଳ ୮ଟାରୁ ୪ତାରିଖ ୮ଟା୩୦ ପର୍ଯ୍ୟନ୍ତ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ରାୟଗଡା, ଗଜପତି, କୋରାପୁଟ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୪ତାରିଖ ସକାଳ୮ଟା୩୦ରୁ ୫ତାରିଖ ସକାଳ ୮ଟା୩୦ପର୍ଯ୍ୟନ୍ତ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂପୁର, କନ୍ଧମାଳ, ଗଜପତି, ରାୟଗଡା, ଗଞ୍ଜାମ, କୋରାପୁଟ, ମାଲକାନଗିରିରେ ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ତେବେ ଅବଶିଷ୍ଟ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଅପରପେକ୍ଷ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ କୌଣସି ବରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ଶାର କେତେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିପାରେ । ତେବେ ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ବରଗଡ, ସୁବର୍ଣ୍ଣପୁର, କନ୍ଧମାଳ, ବୌଦ୍ଧ, ଝାରସୁଗୁଡା, ନୂଆପଡା ଓ ସମ୍ବଲପୁର ଜିଲ୍ଲାରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ହେବାର ସମ୍ଭାବନା ରହିଛି ବୋଲି ଡ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।