ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ କରୋନା ଭୂତାଣୁ ସଂକ୍ରମଣ ଏଥିରେ ବଡ ପ୍ରତିବନ୍ଧକ ହେବାକୁ ଯାଉଛି। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ୫ଟି ରାଜ୍ୟରେ ଫେବୃଆରୀ ଓ ମାର୍ଚ୍ଚ ମଧ୍ୟରେ ବିଧାନସଭା ନିର୍ବାଚନ ହେବ। ଦେଶରେ ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ବିଧାନସଭା ନିର୍ବାଚନ ପରିଚାଳନାରେ ଏହା ବଡ ପ୍ରତିବନ୍ଧକ ସୃଷ୍ଟି କରିବାର ଆଶଙ୍କା ରହିଛି।
ଏପରିସ୍ଥିତିରେ ଆଜି ଦେଶର ନିର୍ବାଚନ ଆୟୋଗ (ଇସି) କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିବେ। ସେହିପରି ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନ ଘୁଞ୍ଚାଇବା ଲାଗି ଆହ୍ଲାବାଦ ହାଇକୋର୍ଟ କରିଥିବା ଅନୁରୋଧ ଆଧାରରେ ଡିସେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ଯିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ସୁଶୀଲ ଚନ୍ଦ୍ରା। ସିଇସି ଚନ୍ଦ୍ରା ଶନିବାର ଉତ୍ତରାଖଣ୍ଡ ଗସ୍ତରେ ଥିବାବେଳେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ।