ନୂଆଦିଲ୍ଲୀ : ନେପାଳ ଏବଂ ତିବ୍ଦତ ସୀମାନ୍ତ ଅଞ୍ଚଳରେ ବୁଧବାର ରାତିରେ ଅନୁଭୂତ ହୋଇଛି ଏକ ଶକ୍ତିଶାଳୀ ଭୂମିକମ୍ପ। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି। ବନ୍ୟା ଦାଉରୁ ବଞ୍ଚିବାକୁ ସଂଘର୍ଷ କରୁଥିବା ପାର୍ବତ୍ୟାଞ୍ଚଳବାସୀଙ୍କୁ ଏହି ଭୂମିକମ୍ପ ଝଟ୍କା ପୁଣିଥରେ ଭୟଭୀତ କରିଦେଇଛି।ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୯ଟା ୫୩ ମିନିଟ୍ ସମୟରେ ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଭୂମିକମ୍ପ ମାପନ କେନ୍ଦ୍ରର ପ୍ରମୁଖ ଅଧିକାରୀଙ୍କ କହିବା ଅନୁଯାୟୀ, ଏହାର କେନ୍ଦ୍ରବିନ୍ଦୁ ମୁସ୍ତାଙ୍ଗ ଜିଲ୍ଲାର ଲୋମନ୍ଥାଙ୍ଗ ଅଞ୍ଚଳରେ ଭୂପୃଷ୍ଠରୁ ପ୍ରାୟ ୩୫ କିଲୋମିଟର ଗଭୀରତାରେ ଥିଲା। ଏହି କମ୍ପନ କେବଳ ମୁସ୍ତାଙ୍ଗରେ ସୀମିତ ନଥିଲା ବରଂ ନେପାଳର ବାଗଲୁଙ୍ଗ, ଧୌଲାଗିରି ଏବଂ ଆଖପାଖ ବହୁ ପାର୍ବତ୍ୟ ଅଞ୍ଚଳ ସମେତ ପଡ଼ୋଶୀ ତିବ୍ଦତର ବିଭିନ୍ନ ଭାଗରେ ମଧ୍ୟ ଅନୁଭୂତ ହୋଇଥିଲା। ରାତି ଅଧରେ ହଠାତ୍ ଭୂମି କମ୍ପିବାରୁ ଲୋକମାନେ ଆତଙ୍କିତ ହୋଇ ନିଜ ନିଜ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ସୌଭାଗ୍ୟବଶତଃ, ଏପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ କୌଣସି ବଡ଼ ଧରଣର ଧନଜୀବନ ହାନି କିମ୍ବା ବିଶେଷ କ୍ଷୟକ୍ଷତିର ଖବର ଆସିନାହିଁ ।










