29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକଂଗ୍ରେସ-ଟିଏମ୍‌ସି ଆସନ ବୁଝାମଣା ନେଇ ସନ୍ଦେହ; ବୁଝାଇବାକୁ ଚେଷ୍ଟା ଚାଲିଛି,କିନ୍ତୁ ନିଜ ଜିଦ୍‌ରେ ଅଟଳ ମମତା

କଂଗ୍ରେସ-ଟିଏମ୍‌ସି ଆସନ ବୁଝାମଣା ନେଇ ସନ୍ଦେହ; ବୁଝାଇବାକୁ ଚେଷ୍ଟା ଚାଲିଛି,କିନ୍ତୁ ନିଜ ଜିଦ୍‌ରେ ଅଟଳ ମମତା

ନୂଆଦିଲ୍ଲୀ: ଇଣ୍ଡିଆନ୍ ନ୍ୟାସନାଲ ଡେଭଲପ୍‌ମେଣ୍ଟାଲ୍ ଇନ୍‌କ୍ଲୁସିଭ୍ ଆଲାଏନ୍ସ ବା ‘ଇଣ୍ଡିଆ’ ମେଣ୍ଟକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଲାଗିପଡିଥିବା କଂଗ୍ରେସ ପାଇଁ ଗତ ୩ ଦିନ ବେଶ ଭଲ ରହିଥିଲା । କିନ୍ତୁ ଆଜି ଦିନରେ କଂଗ୍ରେସକୁ ନିଜ ପ୍ରୟାସରେ ସାମାନ୍ୟ ନିରାଶ ହେବାକୁ ପଡିଛି । ରିପୋର୍ଟ ଅନୁସାରେ ଦିନକ ପୂର୍ବେ କଂଗ୍ରେସ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀଙ୍କ ସହ ଆସନ ବୁଝାମଣା କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ଦଳର ବରିଷ୍ଠ ନେତା ଡେରେକ୍ ଓ’ ବ୍ରାଏନ୍ କିନ୍ତୁ ଏକ ବଡ଼ ସୂଚନା ଦେଇଛନ୍ତି । ବ୍ରାଏନ୍‌ଙ୍କ କହିବାନୁସାରେ ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ଆସନ ସହ ଆସାମରେ କିଛି ଆସନ ଏବଂ ମେଘାଳୟରେ ଗୋଟିଏ ଲୋକସଭା ଆସନ ପାଇଁ ତାଙ୍କ ଦଳ ପ୍ରାର୍ଥୀ ଦେବା ନିଶ୍ଚିତ । ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ । ବ୍ରାଏନ୍‌ଙ୍କ ଏପ୍ରକାର ମନ୍ତବ୍ୟ ସେତେବେଳେ ଆସିଛି ଯେତେବେଳେ କଂଗ୍ରେସ ଏବେ ଆସନ ବୁଝାମଣା ପାଇଁ ଟିଏମ୍‌ସିି ସହ ଆଲୋଚନା କରିବାକୁ ଚାହୁଁଛି ।

ଅନ୍ୟପକ୍ଷେ ବ୍ରାଏନ୍‌ଙ୍କ ଏପ୍ରକାର ମନ୍ତବ୍ୟ ଆସିବା ପରେ ପରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୂରୀ କହିଛନ୍ତି, ଟିଏମ୍‌ସିର ଏହି ପ୍ରକାର ଅହଂକାର ପାଇଁ ହିଁ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ସମ୍ଭବ ହୋଇପାରୁନାହିଁ । ଅଧୀର ରଞ୍ଜନ, ମମତାଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି, ମମତା ଏବେ ୨ଟି ପ୍ରସଙ୍ଗରେ ଦ୍ୱନ୍ଦ୍ୱରେ ଅଛନ୍ତି । ପ୍ରଥମତଃ ଦଳର ଗୋଟିଏ ବର୍ଗ ବିଶ୍ୱାସ କରୁଛନ୍ତି ଯଦି ସେମାନେ ଇଣ୍ଡିଆ ମେଣ୍ଟ ବିନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତେବେ ପଶ୍ଚିମବଙ୍ଗର ସଂଖ୍ୟାଲଘୁମାନେ ସେମାନଙ୍କ ବିରୋଧରେ ଭୋଟ୍ ଦେବେ । ସେହିପରି ଟିଏମ୍‌ସି ପାଇଁ ଦ୍ୱିତୀୟ ଦ୍ୱନ୍ଦ୍ୱ ହେଉଛି ଯଦି ସେମାନେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ଭାବେ ନିର୍ବାଚନ ଲଢ଼ିବେ ତେବେ ମୋଦୀ ସରକାର ସେମାନଙ୍କ ବିରୋଧରେ ଇଡି, ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରିବେ । କେବଳ ଏହି ଦୁଇ ଦ୍ୱନ୍ଦ୍ୱ ପାଇଁ ଟିଏମ୍‌ସି ସ୍ପଷ୍ଟ ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ହେଉଛି ।

ସୂଚନାଯୋଗ୍ୟ, ମମତାଙ୍କ ସହ ଆସନ ବୁଝାମଣା ପାଇଁ କଂଗ୍ରେସ ଚେଷ୍ଟା ଆରମ୍ଭ କରିବା ପରେ ପରେ ଅଧୀର ରଞ୍ଜନ ଏଥିରେ ଉତ୍‌କ୍ଷିପ୍ତ ହୋଇ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ଆସିଥିଲା । ଅନ୍ୟପକ୍ଷେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ସୂଚନା ଦେଇ କହିଛନ୍ତି, ଟିଏମ୍‌ସି ପାଇଁ କଂଗ୍ରେସର ଦ୍ୱାର ସବୁବେଳେ ଉନ୍ମୁକ୍ତ ରହିଛି । ମମତାଙ୍କ ପ୍ରତି କଂଗ୍ରେସର ଯଥେଷ୍ଟ ସମ୍ମାନ ରହିଛି । ତେବେ ଆସନ ବୁଝାମଣାଜନିତ ଆଲୋଚନା ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ଏବଂ ଉଭୟ ଦଳର ସ୍ୱାର୍ଥସିଦ୍ଧ ଭଳି କିଛି ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି । ମମତା ମଧ୍ୟ ଇଣ୍ଡିଆ ମେଣ୍ଟକୁ ମଜବୁତ୍ କରିବାକୁ ଚାହାନ୍ତି ।

ଆମ ସମସ୍ତଙ୍କର ଗୋଟିଏ ଉଦ୍ଦେଶ୍ୟ ରହିଆସିଛି ଆଉ ତାହା ହେଉଛି ବିଜେପିକୁ ପରାଜିତ କରିବା । ଟିଏମ୍‌ସି ଏବେ ବି ଇଣ୍ଡିଆ ମେଣ୍ଟର ଏକ ଅନ୍ୟତମ ଅଂଶୀଦାର ଦଳ ହୋଇ ରହିଛି । ଏହା ଇଣ୍ଡିଆ ମଞ୍ଚ ପାଇଁ ଏକ ବଡ଼ କଥା । ପ୍ରକାଶ, ଗତ କାଲି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଶରଦ୍ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ସହ ଆସନ ବୁଝାମଣା କରିବାରେ ସଫଳ ହୋଇଥିବା ନେଇ ସୂଚନା ଆସିଥିଲା । ଏହାପୂର୍ବରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଏବଂ ଅରବିନ୍ଦ କେଜରିୱାଲ୍‌ଙ୍କ ଆମ୍ ଆଦ୍‌ମୀ ପାର୍ଟି ସହ ମଧ୍ୟ ଆସନ ବୁଝାମଣା କରିବାରେ କଂଗ୍ରେସ ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking