ସମ୍ବଲପୁର : କାହାକୁ ସହାୟତା କରିବା ପାଇଁ ଆବଶ୍ୟକତା ନଥାଏ ଅର୍ଥର । ଆବଶ୍ୟକ ଥାଏ ତ ଗୋଟେ ଭଲ ହୃଦୟର । ଆଉ ଏଭଳି ହୃଦୟର ଲୋକେ ଆଜିର ସ୍ୱାର୍ଥପର ଦୁନିଆରେ ବହୁତ କମ୍ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ମୂଳ ଉଦେଶ୍ୟ ଗରିବ ଅସହାୟଙ୍କର ସେବା କରିବା । ଯେମିତିକି, ବୁର୍ଲା ଭୀମସାରର ଆବାସିକ ଡାକ୍ତର ତଥା ସମାଜ ସେବୀ ଡାକ୍ତର ଶଙ୍କର ରାମ ଚନ୍ଦାନୀ । ଯିଏ ପୁଣି ଥରେ ଚର୍ଚ୍ଚାରେ । କେତେବେଳେ ଗରିବଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକତ କେତେବେଳେ ଅସହାୟ କୁଷ୍ଠ ରୋଗୀଙ୍କୁ କାନ୍ଧରେ ବୋହି ରାସ୍ତା ପାର କରେଇବା ପାଇଁ, ସବୁ କାମରେ ପ୍ରସଂଶା ସାଉଁଟିଥିବା ରାମଚନ୍ଦାନୀ ଏବେ ପୁଣି ଦେଖାଇଛନ୍ତି ମାନବିକତା । ଜଣେ ଗରିବ ଅସହାୟ ମହିଳାଙ୍କ ପୁଅ ହୋଇ ସମ୍ପନ୍ନ କରିଛନ୍ତି ଶେଷକୃତ୍ୟ । ଯେଉଁଥି ପାଇଁ ସେ ପୁଣି ଚର୍ଚ୍ଚାରେ । ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲର ମେଡ଼ିସିନ ୱାର୍ଡରେ ୪ ବର୍ଷ ହେଲା ଚିକିତ୍ସିତ ହେଉଥିଲେ ପୁଷ୍ପାଞ୍ଜଳି ବାଗ । ଯାହାଙ୍କ ବୟସ ପାଖାପାଖି ୬୨ ବର୍ଷ ହେବ । ୨୦୧୮ ମସିହା ଜୁଲାଇ ୭ ତାରିଖରେ ସୋନପୁର ବିରାମହାରାଜପୁର ଥାନା ଅଞ୍ଚଳର ପୁଷ୍ପାଞ୍ଜଳି ବାଗଙ୍କୁ ପକ୍ଷାଘାତ ହେବାରୁ ତାଙ୍କ ପରିବାର ଲୋକେ ଭୀମସାରର ଭର୍ତ୍ତି କରିଥିଲେ । ଏହା ପରେ ସେ ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହୋଇ ଆସୁଥିଲେ । ତେବେ ଏହାରି ଭିତରେ ଡାକ୍ତରଖାନାରେ ପୁଷ୍ପାଙ୍କର ରହିବା ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ତାଙ୍କୁ ଥରେ ଦେଖା କରିବାକୁ ବି ଆସିନଥିଲେ । ତେବେ ଏହି ୪ବର୍ଷ ମଧ୍ୟରେ ବୁର୍ଲା ମେଡ଼ିକାଲକୁ ସେ ନିଜର ଘର ଓ ଡାକ୍ତର , ନର୍ସ ମାନଙ୍କୁ ନିଜ ପରିବାର ବୋଲି ଭାବି ନେଇଥିଲେ । ଡାକ୍ତର ତଥା ନର୍ସମାନେ ମଧ୍ୟ ପୁଷ୍ପାଙ୍କର ସବୁ ଆବଶ୍ୟକତା ପୁରଣ କରିବା ସହ ତାଙ୍କର ସେବା କରି ଆସୁଥିଲେ । ତେବେ ଦୁଃଖର ବିଷୟ ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପୁଷ୍ପାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଆସିନଥିଲେ । ଯାହାଫଳରେ ବୁର୍ଲା ଭୀମସାର ମେଡ଼ିକାଲର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ ପୁଷ୍ପାଙ୍କ ଶବକୁ ନେଇ ବୁର୍ଲା ବିଷ୍ଣୁ ମନ୍ଦିର ପଡ଼ାର ଶ୍ମଶାନ ଘାଟରେ ମୁଖାଗ୍ନି ଦେବା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଜାଣିବାପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶଙ୍କର ଚନ୍ଦାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ ସମଗ୍ର ଅଞ୍ଚଳରେ ଡକ୍ଟର ଶଙ୍କର ରାମ ଚନ୍ଦାନୀଙ୍କୁ ପ୍ରଶଂସା କରିବା ସହିତ ଏଭଳି ଡାକ୍ତର ପାଇ ସେମାନେ ଖୁବ୍ ଧନ୍ୟ ବୋଲି କହିଛନ୍ତି ।