ସିଦ୍ଧାର୍ଥନଗର: ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଥିବା ଏକ ମନ୍ଦିର ଭିତରକୁ ମୁସଲମାନ ସଂପ୍ରଦାୟର ବିଧାୟିକା ପ୍ରବେଶ କରିବା ଫଳରେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଭକ୍ତମାନେ ଗଙ୍ଗାଜଳ ଛିଞ୍ଚି ମନ୍ଦିରକୁ ପୁଣି ପବିତ୍ର କରିଥିବା ଜଣାପଡିଛି । ସୂଚନା ମୁତାବକ ରବିବାର ସ୍ଥାନୀୟ ସମୟ ମାତା ମନ୍ଦିରରେ ‘ଶତଚଣ୍ଡି ମହାଯଜ୍ଞ’ ଆୟୋଜିତ ହୋଇଥିଲା । ନିମନ୍ତ୍ରଣ କ୍ରମେ ସ୍ଥାନୀୟ ସମାଜବାଦୀ ପାର୍ଟି ବିଧାୟିକା ସାୟିଦା ଖାତୁନ ଉକ୍ତ ମନ୍ଦିରକୁ ଯାଇଥିଲେ । ବିଧାୟିକାଙ୍କ ଉପସ୍ଥିତିରେ କୌଣସି ଅପ୍ରୀତିକର ଘଟଣା ଘଟିନଥିଲା ।
ତେବେ ବିଧାୟିକାଙ୍କ ପ୍ରସ୍ଥାନ ପରେ ନଗର ପଞ୍ଚାୟତ ମୁଖ୍ୟଙ୍କ ନେତୃତ୍ୱରେ ଭକ୍ତମାନେ ମନ୍ତ୍ରପାଠ କରିବା ସହ ଗଙ୍ଗାଜଳ ଛିଞ୍ଚି ମନ୍ଦିରକୁ ଶୋଧନ କରିଥିଲେ । ଭକ୍ତଙ୍କ ଏଭଳି କାର୍ଯ୍ୟରେ ବିଧାୟିକା ନିଜର ପ୍ରତିକ୍ରିୟା ରଖିଛନ୍ତି । ମୁଁ ସବୁ ଧର୍ମକୁ ସମ୍ମାନ କରେ ଏବଂ ଜଣେ ଲୋକପ୍ରତିନିଧିଭାବେ ମନ୍ଦିର, ମସ୍ଜିଦ, ଗୀର୍ଜା, ଗୁରୁଦ୍ୱାର ଭଳି ପ୍ରତ୍ୟେକ ଧର୍ମସ୍ଥଳୀ ପରିଦର୍ଶନ କରିବେ ବୋଲି ସେ କହିଛନ୍ତି । କୌଣସି ଧମକ କିମ୍ବା ନିନ୍ଦାକୁ ଖାତିର କରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।