35.1 C
Bhubaneswar
Sunday, May 19, 2024
Homeଓଡିଶାଦିବ୍ୟାଙ୍ଗ ନବଜାତ ଶିଶୁକୁ ଛାଡ଼ି ଚାଲିଗଲେ ବାପା-ମା’

ଦିବ୍ୟାଙ୍ଗ ନବଜାତ ଶିଶୁକୁ ଛାଡ଼ି ଚାଲିଗଲେ ବାପା-ମା’

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଘରୋଇ କ୍ଲିନିକ୍‌ର ଶୌଚାଳୟରେ ତାଲାପକାଇ ରଖାଯାଇଥିବା ଗୋଟିଏ ନବଜାତ ଶିଶୁକୁ ସ୍ଥାନୀୟ ପୁଲିସ ସହାୟତାରେ ଚାଇଲ୍ଡଲାଇନ୍ କର୍ମକର୍ତ୍ତା ଉଦ୍ଧାର କରିଛନ୍ତି । ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲର ଏସ୍‌ଏନ୍‌ସିୟୁରେ ଭର୍ତ୍ତିି କରାଯାଇଛି । ଶିଶୁଟିର ଓଜନ ଦୁଇ କେଜି ୪୦୦ ଗ୍ରାମ ଥିବା ବେଳେ ସେ ପୋଲିଓରେ ଆକ୍ରାନ୍ତ ଥିବା ଜଣାପଡିଛି ।

ଏହି ଘଟଣା ପରେ ପୁଲିସ ଶିଶୁର ବାପା ମା’ଙ୍କ ପରିଚୟ ପାଇ ସେମାନଙ୍କୁ ଯୋଗାଯୋଗ କରିଥିଲା । ସେମାନେ ହେଲେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଖଇରପୁଟ ଗାଁର ଶିଶିର ସ୍ୱାଇଁ ଓ ତାଙ୍କ ପତ୍ନୀ ସବିତା ସ୍ୱାଇଁ । ସବିତା ୮ ମାସର ଗର୍ଭବତୀ ଥିଲେ । ସେ ଗତକାଲି ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ଶିଶିର ତାଙ୍କୁ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ଘରୋଇ କ୍ଳିନିକ୍‌କୁ ଆଣିଥିଲେ । ଅଲଟ୍ରାସାଉଣ୍ଡରୁ ଶିଶୁଟିର ମୁଣ୍ଡରେ ପାଣି ଜମିଛି ଏବଂ ସେ ପୋଲିଓ ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ଏହା ଶୁଣିଲା ପରେ ଶିଶିର ଓ ସବିତାଙ୍କ ଚିନ୍ତା ବଢ଼ିଥିଲା । ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଡାକ୍ତର କହିବାରୁ ସେମାନେ କ’ଣ କରିବେ କିଛି ଭାବିପାରି ନଥିଲେ । ଶିଶୁଟି ଦିବ୍ୟାଙ୍ଗ ହୋଇ ଜନ୍ମ ନେବାରୁ ନିରାଶ ହୋଇ ସେମାନେ ସେହି କ୍ଲିନିକ୍‌ରେ ଛାଡ଼ି ଚାଲିଯାଇଥିଲେ । ଏ ସଂପର୍କରେ ଖବର ପାଇ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ର କର୍ମଚାରୀ କ୍ଳିନିକ୍‌ରେ ଶିଶୁଟିର ସନ୍ଧାନ ନେଇଥିଲେ ।

କିନ୍ତୁ କ୍ଳିନିକ୍‌ର ମାଲିକ କିମ୍ବା କର୍ମଚାରୀ ଏ ସଂପର୍କରେ ସେମାନଙ୍କୁ କିଛି ଜଣାଇନଥିଲେ । ତେଣୁ ସିଡବ୍ଳୁସିର କର୍ମଚାରୀ ବୈଦ୍ୟନାଥପୁର ଥାନାକୁ ଜଣାଇଥିଲେ । ପୁଲିସ ଆସିବା ପରେ କ୍ଳିନିକ୍‌ର ପାଇଖାନା ମଧ୍ୟରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲକୁ ନିଆଯାଇଥିଲା । ଶିଶୁଟି ଏବେ ଏନ୍‌ଏନ୍‌ସିୟୁରେ ଭର୍ତ୍ତି ହୋଇଛି । ଛୁଆଟି ସମ୍ପୂର୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସିଡବ୍ଲ୍ୟୁସି ଛୁଆଟି କାହାକୁ ହସ୍ତାନ୍ତର କରାଯିବ ସେ ନେଇ ସ୍ଥିର କରିବେ ବୋଲି ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍ କହିଛନ୍ତି । ଶିଶୁଟିର ବାପା ମା’ଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛନ୍ତି । ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି । ଶିଶୁଟି ଦିବ୍ୟାଙ୍ଗ ହୋଇଥିବାରୁ ସେମାନେ ତାହାକୁ ଛାଡ଼ି ପଳାଇଥିଲେ ବୋଲି କହିଛନ୍ତି । ଉଭୟ ବାପା, ମା’ ଓ କ୍ଳିନିକ୍ ମାଲିକଙ୍କ ନାଁରେ ମାମଲା ହେବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking