ଢେଙ୍କାନାଳ : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ କଲ୍ୟାଣ ମାଧ୍ୟମରେ ବାସଗୃହ ନିମନ୍ତେ ଅବାସ ଯୋଜନା ପ୍ରଚଳନ କରିଛନ୍ତି । ମାତ୍ର ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ଏବେ ଭଙ୍ଗା ଚାଳଘର ତଳେ ଦିନ କାଟୁଛନ୍ତି ଖୁଲଣା ପରିଡା ୭୪ ବର୍ଷର ବୃଦ୍ଧ ମହିଳା । ଦିର୍ଘ ୨୦ ବର୍ଷ ହେଲା ଦଇବ ଦାଉ ସାଜୁଛି ଏହି ଚାଳଛପର ଘର ଉପରେ । ଯେଉଁଠି ଦଇବ ଦାଉ ସାଝୁଛି ସେଠାରେ ଏ ମଣିଷ କ’ଣ ବା କରିବ ବୋଲି ଲୁହ ଭରା ଆଖିରେ କହୁଛନ୍ତି ଖୁଲଣା ।
ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର କଂଟାସାହିରେ ରହିଛି ଖୁଲଣାଙ୍କ ସ୍ୱାମୀ ସ୍ୱର୍ଗତ ପ୍ରହ୍ଲାଦ ପରିଡାଙ୍କ ଭଙ୍ଗାଘର । ସ୍ତ୍ରୀ ପିଲା ମାନଙ୍କୁ ନେଇ ମୁଲଚାଲ କରି ଚଳିଯାଉଥିଲେ ପ୍ରହ୍ଲାଦ । ଏକମାତ୍ର ପୁଅ ଅରକ୍ଷିତକୁ ବିବାହ କରିବା ପୁର୍ବରୁ ସଂସାର ଛାଡିଥିଲେ ପ୍ରହ୍ଲାଦ । ପୁଅ ଅରକ୍ଷିତର ବିବାହ ହୋଇଥିଲା କଙ୍କଡାହାଡ ବ୍ଲକର ରହଣି ଗ୍ରାମରେ । ସେ ବି ବେଶୀ ଦିନ ବଂଚି ପାରିଲା ନାହିଁ । ଦେହ ଅସୁସ୍ଥ ହେବାରୁ ଆରପାରିକୁ ଚାଲି ଯାଇଥିଲେ । ଅରକ୍ଷିତଙ୍କ ମୃତ୍ୟୁ ବେଳକୁ ତାଙ୍କର ଦୁଇ ବର୍ଷର ଝିଅ ସାଙ୍ଗକୁ ପୁଅ ଆଠ ମାସର ହୋଇଥିଲା । ସ୍ଥୀ ସବିତାଙ୍କ ମୁଣ୍ଡରେ ଯେପରି ବଜ୍ର ପଡିଥିଲା । ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ବେସାହାରା ହୋଇ ପଡିଲେ ଶାଶୁ ଓ ବୋହୁ । ସ୍ୱାମୀଙ୍କ ମୃତ୍ୟୁର ଆଠ ବର୍ଷ ପରେ ବହୁ କଷ୍ଟରେ ଚଳିବା ପରେ ଭାଙ୍ଗିପଡିଲେ ସବିତି । ଦୁଇ ସନ୍ତାନଙ୍କୁ ଧରି ବାପ ଘରକୁ ଚାଲିଗଲେ ସେ ।
ସେହି ଦିନରୁ ଖୁଲଣାଙ୍କର ଦୁଃଖ ଦ୍ୱିଗୁଣିତ ହୋଇଯାଇଛି । ସରକାରୀ ସାହାର୍ଯ୍ୟ କହିଲେ ୫ ଶହ ଟଙ୍କାର ବାର୍ଧକ୍ୟ ଭତା ଏବଂ ବେସାମରିକ ଯୋଗାଣ ବିଭାଗ ଦ୍ୱାରା ୫ କେଜି ଚାଉଳ । ପର ଘରେ ମାଗି ଜାଚି ଯେକୈଣସି ଉପାୟରେ ଭାରି କଷ୍ଟରେ ଚଳୁଛନ୍ତି ସେ । ଘର ଟିକକର ଛପର ଉଠିଗଲାଣି ମାତ୍ର ପାଖରେ ପଇସା ନଥିବାରୁ ଘର ଛପର କରିପାରୁନାହାନ୍ତି ସେ । ଆବାସ ଯୋଜନାରେ ଘରଟିଏ ପାଇଁ ୱାର୍ଡ ସଭ୍ୟ, ସରପଂଚ, ବିଡିଓଙ୍କୁ କେତେ ନେହୁରା କଲେବି ମିଳି ପାରୁନି ପକ୍କା ଘରଟିଏ । ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା କହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଖୁଲଣାଙ୍କୁ ଆବାସ ଯୋଜନାରେ ଘରଟିଏ ପ୍ରଦାନ ନିମନ୍ତେ ଦାବୀ କରିଛନ୍ତି ସାଧାରଣ ଲୋକ ।